ଭ୍ରମଣକାରୀର ପତ୍ର

 

 

 

 

 

 

 

 

 

ଭ୍ରମଣକାରୀର ପତ୍ର

କବିବର ରାଧାନାଥ ରାୟ

 

୧୮୮୭ ମସିହା ‘‘ନବସମ୍ବାଦରୁ’’ ଗୃହୀତ ତାଳଚେର ଓ ବାମଣ୍ଡା

 

ଆମ୍ଭେମାନେ ଆଠଗଡ଼, ଢେଙ୍କାନାଳ ଏବଂ ତାଳଚେର ମାର୍ଗରେ ବାମଣ୍ଡା ପ୍ରବେଶ କଲୁଁ । ଆଠଗଡ଼ ଏବଂ ଢେଙ୍କାନାଳ ସମ୍ବନ୍ଧରେ ମୋହର କିଛି ବକ୍ତବ୍ୟ ନାହିଁ । ପ୍ରାଚୀନ କାଳରେ ଗଡ଼ଜାତ ଯେପରି ଥିଲା, ଆଠଗଡ଼ ସେଥିରୁ ସମଧିକ ଉନ୍ନତ ବୋଧ ହେଲା ନାହିଁ । ପ୍ରତ୍ୟୁତଃ ମୋଗଲବନ୍ଦିର ସଭ୍ୟତାପ୍ରଦୀପର ଅଧ ଛାୟା ପ୍ରାୟ ବୋଧ ହେଲା । ଢେଙ୍କାନାଳ ସମ୍ପ୍ରତି ଗବର୍ଣ୍ଣମେଣ୍ଟଙ୍କ ଶାସନାଧୀନ । ତାଳଚେରରେ କେତେଗୁଡ଼ିଏ ନୂତନ କଥା ଦେଖିଲି । ତାଳଚେର ବଡ଼ କ୍ଷୁଦ୍ର ସ୍ଥାନ ହେଲେହେଁ ଏହାର ଅବସ୍ଥିତି ଅତି ସୁନ୍ଦର । ଗଡ଼ର କାନ୍ଥିରୁ ମହାରଣ୍ୟ ଆରମ୍ଭ ହୋଇ ବାମଣ୍ଡା ସୀମା ପର୍ଯ୍ୟନ୍ତ ବିସ୍ତୃତ ରହିଅଛି । ବ୍ରାହ୍ମୀ ନଦୀ ନଗରର ପଦ ଧୌତ କରି ପ୍ରବାହିତ ହେଉଅଛି । ନଗର କାନ୍ଥିରେ ନଦୀଶଯ୍ୟା ଗଭୀର ଓ ପ୍ରସ୍ତରମୟ, ନଗରର ଅବସ୍ଥା ଅତି ପରିଷ୍କୃତ-। ମ୍ୟୁନିସିପଲ କଟକ ଅପେକ୍ଷା ଆରଣ୍ୟ ତାଳଚେର ଶତଗୁଣରେ ପରିଷ୍କୃତ । ରାଜଦାଣ୍ଡମାନ ସର୍ବଦା ସୁସଂସ୍କୃତ ଅବସ୍ଥାରେ ପରିରକ୍ଷିତ ହେଉଥିବାର ବୋଧହେଲା । ମାତ୍ର ଅନ୍ୟାନ୍ୟ ଗଡ଼ଜାତ ଅପେକ୍ଷା ତାଳଚେରର ଗୋଟିଏ ବିଷୟରେ ଅସାଧାରଣତା ଦେଖିଲି । ଅନ୍ୟାନ୍ୟ ଗଡ଼ଜାତରେ ପ୍ରକାଶ୍ୟ, ସାଧାରଣ ବିଚରଣଯୋଗ୍ୟ ସ୍ଥାନମାନଙ୍କରେ ତୁମ୍ଭେ ବିନା ଆପତ୍ତିରେ ଭ୍ରମଣ କରିପାର । ତାଳଚେରରେ ଏ ବିଧି ନାହିଁ । ତାଳଚେର ଗଡ଼ରେ ପ୍ରବେଶ କରିବା ପୂର୍ବରୁ ତୁମ୍ଭର ଅନୁମତି ନେବାର ଆବଶ୍ୟକ । ସମ୍ଭବତଃ ଏହି ଅନୁମତି ଅଣାଇବାକୁ ତୁମ୍ଭର ଯେତେ ସମୟ ଯିବ, ସହର ଦେଖିବାରେ ସେଥିରୁ ଅଳ୍ପ ସମୟ ଲାଗିବ । ତାଳଚେରର ଅନେକ ଗ୍ରାମ ଯେପରି ପରିଷ୍କୃତ ଦେଖିଲି, ଏପରି ପରିଷ୍କୃତ ଗ୍ରାମ ଓଡ଼ିଶା ଗଡ଼ଜାତରେ ବିରଳ । ରାଜ୍ୟ ମଧ୍ୟରେ ଗୋଟିଏ ପ୍ରଧାନ ରାଜବର୍ତ୍ମ ପ୍ରସ୍ତୁତ ହେବାର ଆରମ୍ଭ ହୋଇଅଛି । ରାଜ୍ୟର ଅନର୍ଜନକ୍ଷମ ଅନ୍ଧ, କୁବ୍ଜ, ପଙ୍ଗୁ ଲୋକମାନଙ୍କୁ ରାଜସରକାରରୁ ଗ୍ରାସାଚ୍ଛାଦନ ଦେବାର ସୁବ୍ୟବସ୍ଥା ହୋଇଅଛି । ବର୍ତ୍ତମାନ ମହାରାଜାଙ୍କର ଏହି ସୁବ୍ୟବସ୍ଥା ଯେ ଅତି ପ୍ରଶଂସନୀୟ ଏବଂ ଅନ୍ୟାନ୍ୟ ରାଜାମାନଙ୍କର ଅନୁକରଣୀୟ, ଏହା ବୋଲିବା ବାହୁଲ୍ୟ । ନବ୍ୟସଭ୍ୟତା ପ୍ରାୟଶଃ ରଜୋଗୁଣପ୍ରଧାନ; ଅନେକ ଲୋକେ ତାଳଚେରକୁ ଏହି ରଜୋଗୁଣ ପ୍ରଧାନ ସଭ୍ୟତାର ଅଭିନୟ-ଭୂମି-ରୂପେ ନିର୍ଦ୍ଦେଶ କରି ହାସ୍ୟରସର ଅବତାରଣା କରନ୍ତି । ଆମ୍ଭେମାନେ ସାହସ କରି କହିପାରୁଁ ଯେ ଉଲ୍ଲିଖିତ ନିର୍ମଳ, ସାତ୍ତ୍ୱିକ ବ୍ୟବସ୍ଥା ଏହି ଶ୍ରେଣୀର ବିଦୂଷକମାନଙ୍କୁ ନିରୁତ୍ତର କରାଇଦେବ । ତାଳଚେରରେ ଗୋଟିଏ ସୁବୃହତ୍ ଜେଲଖାନା ନିର୍ମିତ ହୋଇଅଛି । ଜଣେ ସୁରସିକ ସାହେବ ଭାରତବର୍ଷୀୟଙ୍କୁ ଦୁଇ ଶ୍ରେଣୀରେ ବିଭକ୍ତ କରିଥିଲେ- ପ୍ରଥମ ଶ୍ରେଣୀ, ଯେମାନେ ଜେଲଖାନାରେ ଅଛନ୍ତି; ଦ୍ୱିତୀୟ ଶ୍ରେଣୀ, ଯେମାନେ ଜେଲଖାନାକୁ ଯିବାର ଯୋଗ୍ୟ । ତାଳଚେରର ଜେଲନିର୍ମାପକ ବୋଧହୁଏ ଏହି ନୀତିର ସାରବତ୍ତା ବିଶେଷରୂପେ ହୃଦୟଙ୍ଗମ କରି ଜେଲ ଗୃହର ଅବୟବ ବୃଦ୍ଧି ବିଷୟରେ ମନୋଯୋଗୀ ହୋଇଥିଲେ ।

 

ତାଳଚେରରୁ ବାହାରି ଆମ୍ଭେମାନେ ରାତ୍ରରେ ବାହ୍ମଣୀତୀରବର୍ତ୍ତୀ ବୀଜଗୁଳ ନାମକ ସ୍ଥାନରେ ରହିଲୁଁ । ବୀଜଗୁଳରୁ ବଜ୍ରକୂଟ ଯାଉଁ ଯାଉଁ ମାର୍ଗରେ ଟିକ୍ରା ନାମକ ବ୍ରାହ୍ମଣୀର ସର୍ବପ୍ରଧାନ ଉପନଦୀ ପାରି ହେଲୁଁ । ଜଳପ୍ଳାବନ ସମୟରେ ଏହି ନଦୀର ଉପରରୁ ପଥରକୋଇଲା ସମ୍ବଳିତ ମୃତ୍ତିକା ଭାସି ଆସେ, ଲୋକେ ଏହା ସଞ୍ଚୟ କରି ଇନ୍ଧନରୂପେ ବ୍ୟବହାର କରନ୍ତି । ମାର୍ଗରେ ଯାଉଁ ଯାଉଁ ଉତ୍ତରପୂର୍ବରେ ଓଡ଼ିଶାର ସର୍ବପ୍ରଧାନ ପର୍ବତ ମାଲ୍ୟଗିରି ସମୟ ସମୟରେ ଆମ୍ଭମାନଙ୍କର ଦୃଷ୍ଟିଗୋଚର ହେଉଥିଲା ।

 

ବଜ୍ରକୂଟ ବ୍ରାହ୍ମଣୀ ତୀରବର୍ତ୍ତୀ । ଏଠାରେ ପରିଖାବେଷ୍ଟିତ ଗୋଟିଏ ପାଏକପଲ୍ଲୀ ଅଛି ଏବଂ ଖେଳିବାର ଆଖଡ଼ା ଅଛି ।

 

ବଜ୍ରକୂଟରୁ ଆମ୍ଭେମାନେ ରେଙ୍ଗାଳି ବାଟେ ରୋହିଲା ନାମକ ସ୍ଥାନରେ ଉପସ୍ଥିତ ହେଲୁଁ-। ରେଙ୍ଗାଳିରେ ବାମଣ୍ଡା ରାଜାଙ୍କର ଗୋଦାମଗୃହ ଅଛି । ଏହି ସ୍ଥାନ ନାବ୍ୟତାର ସୀମା । ଉପରକୁ ନଦୀଶଯ୍ୟା ବିଷମପୂର୍ଣ୍ଣ, ବାମଣ୍ଡା ମହାରାଜ ବାଣିଜ୍ୟ-ସୌକର୍ଯ୍ୟ ସକାଶେ ଏହିଠାରୁ ନିଜ ରାଜ୍ୟ ପର୍ଯ୍ୟନ୍ତ ଗୋଟିଏ ସଡ଼କ ପ୍ରସ୍ତୁତ କରାଇଅଛନ୍ତି ।

 

ବ୍ରାହ୍ମଣୀ ତୀରବର୍ତ୍ତୀ କେତେକ କ୍ଷୁଦ୍ର ପର୍ବତ ଉତ୍ତୀର୍ଣ୍ଣ ହୋଇ ଆମ୍ଭେମାନେ ରୋହିଲାରେ ଉପସ୍ଥିତ ହେଲୁଁ । ରୋହିଲାରେ ବ୍ରାହ୍ମଣୀର ପ୍ରସ୍ତରମୟ ଶଯ୍ୟା ଅତି ବିଚିତ୍ର, ସୁବିଶାଳ ମସୃଣ କୃଷ୍ଣପ୍ରସ୍ତର ସମୂହ ସମତଳ, ଲମ୍ବ ଏବଂ ତିର୍ଯ୍ୟକ୍ ଭାବରେ ନଦୀଗର୍ଭରେ ଇତସ୍ତତଃ ବିଶୃଙ୍ଖଳରୂପେ ବିକ୍ଷିପ୍ତ ହୋଇ ପ୍ରବାହର ଗତିରୋଧ କରି କ୍ଷୁଦ୍ର କ୍ଷୁଦ୍ର ଅସଂଖ୍ୟ ପ୍ରପାତ ସୃଜନ କରିଅଛି ।

 

ରୋହିଲାରୁ ପ୍ରାୟ ଦୁଇ କ୍ରୋଶ ଯାଇ ଆମ୍ଭେମାନେ ବାମଣ୍ଡା ରାଜ୍ୟରେ ପ୍ରବିଷ୍ଟ ହେଲୁଁ । ଅରଣ୍ୟରେ କେତେଦୂର ଯାଇ ସର୍ବପ୍ରଥମରେ ବ୍ରାହ୍ମଣୀ ତୀରବର୍ତ୍ତୀ ଜୁଆଳିବନ୍ଧା ଗ୍ରାମ ଦେଖିଲୁଁ । ଏ ଗ୍ରାମଟି ଅତି କ୍ଷୁଦ୍ର, ମାତ୍ର ଅତି ପରିଷ୍କୃତ; ଗ୍ରାମରେ ପ୍ରତ୍ୟେକ ଦାଣ୍ଡ ଏବଂ ଗଳିମାନଙ୍କରେ ସଡ଼କ ଦେଖି ଆମ୍ଭମାନେ ଆଶ୍ଚର୍ଯ୍ୟାନ୍ୱିତ ହେଲୁଁ ।

Image

 

ବାମଣ୍ଡା

 

ଜୁଆଳିବନ୍ଧାରୁ ନଈକୂଳକୁ ଯିବାକୁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଲା । ନଈକୂଳ ବ୍ରାହ୍ମଣୀ ତୀରବର୍ତ୍ତୀ ଗୋଟିଏ ପ୍ରଧାନ ସ୍ଥାନ । ଗୋଟିଏ କ୍ଷୁଦ୍ର ସହର ପ୍ରାୟ ବୋଧ ହେଲା । ଏଠାରେ ଥାନା, ସ୍କୁଲ, ଗୋଦାମ ଏବଂ ଅନ୍ୟାନ୍ୟ ରାଜକୀୟ କାର୍ଯ୍ୟାଳୟ ଅଛି । ନଦୀର ସମାନ୍ତରାଳ ହୋଇ ଗୋଟିଏ ପ୍ରଶସ୍ତ ସଡ଼କ ଗ୍ରାମକୁ ଦୁଇଭାଗରେ ବିଭକ୍ତ କରିଅଛି । ପୂର୍ବୋକ୍ତ ରେଙ୍ଗାଳି ସଡ଼କ ଏହି ସଡ଼କରେ ସଂଯୁକ୍ତ ହୋଇଅଛି ଏବଂ ଏହି ସଡ଼କ ନାନା ଗ୍ରାମ ଓ ଅରଣ୍ୟ ଭେଦ କରି ବାମଣ୍ଡା ରାଜଧାନୀ ଦେବଗଡ଼ ପର୍ଯ୍ୟନ୍ତ ବିସ୍ତୃତ ହୋଇଅଛି । ସ୍ଥାନଟି ଅତି ପରିଷ୍କୃତ । ବିଶେଷତଃ ଲୋକମାନେ ଏହାକୁ ପରିଷ୍କୃତ ରଖିବା ବିଷୟରେ ଅଭ୍ୟସ୍ତ ହୋଇଥିବାର ସମ୍ପୂର୍ଣ୍ଣ ପରିଚୟ ମିଳିଲା । ପ୍ରାତଃକାଳରେ ଆମ୍ଭେମାନେ ନଈକୂଳ ପରିତ୍ୟାଗ କରି ଗୋଗୁଆରେ ଉପସ୍ଥିତ ହେଲୁଁ । ଗୋଗୁଆ ବ୍ରାହ୍ମଣୀ ତୀରବର୍ତ୍ତୀ ଗୋଟିଏ ପ୍ରଧାନ ପଲ୍ଲୀ ଏବଂ ପୂର୍ବୋକ୍ତ ପ୍ରଧାନ ସଡ଼କଦ୍ୱାରା ଦ୍ୱିଧା ବିଭକ୍ତ । ଏଠାରେ ଗୋଟିଏ ବୃହତ୍ ଗୋଦାମ ଏବଂ ଗୋଟିଏ ବିଦ୍ୟାଳୟ ମଧ୍ୟ ଅଛି । ପଥିକମାନଙ୍କ ଅବସ୍ଥାନ ନିମନ୍ତେ ଉତ୍ତମ ଗୃହ ମଧ୍ୟ ଅଛି ।

 

ଗୋଗୁଆରୁ ଗାଙ୍ଗନଳ ପ୍ରାୟ ଓଳିକର ବାଟ । ସମ୍ବଲପୁରରୁ ମେଦିନୀପୁର ପର୍ଯ୍ୟନ୍ତ ବିସ୍ତୃତ ପ୍ରାଚୀନ ସାମରିକ ସଡ଼କପାର୍ଶ୍ୱରେ ଗାଙ୍ଗନଳ ଅବସ୍ଥିତ । ପଥିକମାନଙ୍କର ରହିବା ସକାଶେ ଏଠାରେ ପଟାର ମଞ୍ଚ ଏବଂ ଅନ୍ୟାନ୍ୟ ଗୃହାଦି ଅଛି । ଗୋଟିଏ ଗିରିନଦୀ ପ୍ରବାହିତ ହୋଇ ସ୍ଥାନକୁ ବାସଯୋଗ୍ୟ କରାଇଅଛି । ବାମଣ୍ଡାର ଅନ୍ୟାନ୍ୟ ଗ୍ରାମ ପରି ଏଠାରେ ମଧ୍ୟ ସଡ଼କର ଅଭାବ ନାହିଁ ଏବଂ ଲୋକମାନେ ଅତ୍ୟାଚାର ବ୍ୟତୀତ ମ୍ୟୁନସିପାଲିଟିର ସମସ୍ତ ସୁବିଧା ଉପଭୋଗ କରୁଥିବାର ବୋଧ ହେଲା ।

 

ଗାଙ୍ଗନଳରୁ ଆମ୍ଭେମାନେ ପ୍ରାୟ ତିନି କ୍ରୋଶ ଯାଇ ଗିରିନଦୀ ତୀରବର୍ତ୍ତୀ ସୁଗଡ଼ା ଗ୍ରାମରେ ଉପସ୍ଥିତ ହେଲୁଁ । ସୁଗଡ଼ା ଗୋଟିଏ ସମୃଦ୍ଧିଶାଳୀ ପଲ୍ଲୀ, ଏହି ସ୍ଥାନରୁ ଦେବଗଡ଼ ତିନି କ୍ରୋଶରୁ ଅଧିକ ନୁହେ । ସୁଗଡ଼ାରେ ଆହାରାଦି କରି ଆମ୍ଭେମାନେ ବାସୁଦେବପୁର ଶାସନ ଦେଖିବା ଉଦ୍ଦେଶ୍ୟରେ ସଡ଼କ ପରିତ୍ୟାଗପୂର୍ବକ ପଶ୍ଚିମାଭିମୁଖ ହେଲୁଁ । ବାସୁଦେବପୁର ଶାସନ ବାମଣ୍ଡାର ବର୍ତ୍ତମାନ ମହାରାଜଙ୍କ କର୍ତ୍ତୃକ ସ୍ଥାପିତ ଏବଂ ତାହାଙ୍କ ନାମାନୁସାରେ ନାମିତ । ଗ୍ରାମ ମଧ୍ୟରେ ପ୍ରବେଶ କରି ଗ୍ରାମର ସୁବ୍ୟବସ୍ଥା ଦେଖି ଆମ୍ଭେମାନେ ଆଶ୍ଚର୍ଯ୍ୟାନ୍ୱିତ ହେଲୁଁ । ମଝିରେ ପ୍ରଶସ୍ତ ସଡ଼କ ଏବଂ ଉଭୟ ପାର୍ଶ୍ୱରେ ସାହେବମାନଙ୍କ ବଙ୍ଗଳା ପରି ଏକାକୃତି ଓ ଏକାବୟବବିଶିଷ୍ଟ ଖଡ଼ିମାଟିଧୌତ ମାଟିର ବଙ୍ଗଳାମାନ ଶ୍ରେଣୀବଦ୍ଧ ହୋଇ ରହିଅଛି । ଗ୍ରାମର ଅନତିଦୂରରେ ବନ କର୍ତ୍ତିତ ହୋଇ ହସ୍ତିଦ୍ୱାରା ପ୍ରଚୁର ଭୂମି ଆବାଦ ହୋଇଅଛି । ଏହି ଭୂମି ବ୍ରାହ୍ମଣମାନେ ବୃତ୍ତିସ୍ୱରୂପ ପାଇଅଛନ୍ତି । ଅନାବୃଷ୍ଟି ଭୟରୁ ମଧ୍ୟ ବ୍ରାହ୍ମଣମାନେ ସୁରକ୍ଷିତ । ଗ୍ରାମର ଉତ୍ତରରେ ଗୋଟିଏ ଉଚ୍ଚ ସେତୁଦ୍ୱାରା ଗିରିନଦୀର ଜଳ ସଞ୍ଚିତ ହୋଇ ପ୍ରାୟ ଅର୍ଦ୍ଧକ୍ରୋଶବ୍ୟାପୀ ଗୋଟିଏ ବୃହତ୍ ହ୍ରଦରୂପେ ପରିଣତ ହୋଇଅଛି । ଶୁଣି ଅତ୍ୟନ୍ତ ଦୁଃଖିତ ହେଲି ଯେ ଏହି ବ୍ରାହ୍ମଣମାନେ ଏତେ ସୁବିଧା ପାଇ ସୁଦ୍ଧା ବିଦ୍ୟା ଅଧ୍ୟୟନ ବିଷୟରେ ଆଶାନୁରୂପ ମନୋଯୋଗୀ ହୋଇ ନାହାନ୍ତି ।

 

ବାସୁଦେବପୁର ଶାସନ ଦର୍ଶନ ଉତ୍ତାରୁ ଆମ୍ଭେମାନେ ଅରଣ୍ୟମାର୍ଗରେ ଯାଇ ପୂର୍ବୋକ୍ତ ପ୍ରଧାନ ସଡ଼କରେ ଉପସ୍ଥିତ ହେଲୁଁ । ଦେବଗଡ଼ ଅତି ସୁନ୍ଦର, ପରିଷ୍କୃତ, କ୍ଷୁଦ୍ର ନଗର, ଉତ୍ତରରୁ ଦକ୍ଷିଣକୁ ପ୍ରସାରିତ । ସଡ଼କମାନ ସୁସଂସ୍କୃତ ଅବସ୍ଥାରେ ପରିରକ୍ଷିତ ଏବଂ ସମାନ୍ତରାଳ ପୟଃପ୍ରଣାଳୀଦ୍ୱାରା ପରିଶୋଭିତ । ଉତ୍ତରପାର୍ଶ୍ୱରେ ଶ୍ୟାମାଙ୍ଗ ପ୍ରଧାନ ପାଟ, ଶୈଳ ପ୍ରାଚୀର ପ୍ରାୟ ଦଣ୍ଡାୟମାନ, ବକ୍ଷସ୍ଥଳରେ ସ୍ୱଚ୍ଛପ୍ରପାତ କୌସ୍ତୁଭ ମଣି ପ୍ରାୟ ଶୋଭା ପାଉଅଛି । ସହରରେ ପ୍ରବିଷ୍ଟ ହୋଇ ମଧ୍ୟବର୍ତ୍ତୀ ପ୍ରଧାନ ଦାଣ୍ଡ ଦେଇ କ୍ରମଶଃ ଉତ୍ତରମୁଖରେ ଆମ୍ଭେମାନେ ଅଗ୍ରସର ହେବାକୁ ଲାଗିଲୁଁ । ସାଧାରଣ କାର୍ଯ୍ୟାଳୟ ମଧ୍ୟରେ ସର୍ବପ୍ରଥମରେ ଛାପାଖାନା, ହାସପାତାଳ, ଥାନା, ଜେଲଖାନା, ସ୍କୁଲ ଏବଂ ରାଜକଚେରୀ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟାଳୟ ଶିରୋଦେଶରେ ସେହି କାର୍ଯ୍ୟବ୍ୟଞ୍ଜକ ପ୍ରତିମୂର୍ତ୍ତି ଗଠିତ ହୋଇ ଦର୍ଶକମାନଙ୍କର କୌତୁକାବହ ହୋଇଅଛି । ରାଜକଚେରୀ ଗୃହଟି ସୁଦୃଶ୍ୟ ଏବଂ ସୁରୁଚିର ପରିଚାୟକ । ଏହି କଚେରୀ ଗୃହରେ ବ୍ୟାଘ୍ର, ସମ୍ଭର, ହରିଣ ପ୍ରଭୃତିର ଯେଉଁ ପ୍ରତିରୂପମାନ ଅଛି, ସେମାନଙ୍କ ରଚନାକୌଶଳ ନିତାନ୍ତ ସାଧାରଣ ନୁହେ । ମହାରାଜ ସ୍ୱୟଂ ଅଧ୍ୟକ୍ଷ ହୋଇ ସାମାନ୍ୟ କୋଲ ଶ୍ରମିକ ହସ୍ତରେ ଏଗୁଡ଼ିକ ପ୍ରସ୍ତୁତ କରାଇଥିବାର ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହେଲୁଁ । ଆମ୍ଭମାନଙ୍କ ଅବସ୍ଥାନ ସକାଶେ ମହାରାଜ ବାସସ୍ଥାନର ବିହିତ ବନ୍ଦୋବସ୍ତ କରାଇଥିଲେ । ଆମ୍ଭେମାନେ ସେହି ସ୍ଥାନରେ ଆଶ୍ରୟ ଗ୍ରହଣ କଲା ଉତ୍ତାରୁ କେତେକ ଭଦ୍ରଲୋକଙ୍କ ସଙ୍ଗେ ସାକ୍ଷାତ୍ ହେଲା । କେତେବେଳେ ସାକ୍ଷାତ୍ କଲେ ମହାରାଜାଙ୍କର ସୁବିଧା ହେବ, ଏହି ବିଷୟ ଉକ୍ତ ଭଦ୍ରଲୋକମାନଙ୍କୁ ପଚାରିବାରେ ସେମାନେ କହିଲେ, ମହାରାଜଙ୍କର ସବୁବେଳେ ଅବସର । ଏହି ସମୟରେ ମହାରାଜ ସାକ୍ଷାତ୍ କରିବା ସକାଶେ ପତ୍ରଦ୍ୱାରା ଆହ୍ୱାନ କରି ପଠାଇଲେ । ନିଷ୍କର୍ମାଙ୍କର ପ୍ରାୟ ଅବସର ଥାଏ ନାହିଁ । ଯେଉଁମାନେ ଅଧିକ କାର୍ଯ୍ୟ କରନ୍ତି, ସେମାନଙ୍କର ଅଧିକ ଅବସର, ଏହି କଥାଟିର ଆମ୍ଭେମାନେ ଚାକ୍ଷୁଷ ପ୍ରମାଣ ପାଇଲୁଁ । ରାଜାହ୍ୱାନ ପ୍ରାପ୍ତ ହୋଇ ଆମ୍ଭେମାନେ ସେହିକ୍ଷଣି ଯାଇ ରାଜଦର୍ଶନ କଲୁଁ । ରାଜଦର୍ଶନ କରିବାକୁ ଅନେକ ଭଦ୍ରଲୋକଙ୍କର ସ୍ୱଭାବତଃ ପ୍ରବୃତ୍ତି ହୁଏ ନାହିଁ, ତାହାର କାରଣ ଏହି ଯେ ଅଧିକାଂଶ ରାଜାମାନେ ଦର୍ଶନପ୍ରଦାନକୁ ବରଦାନ ତୁଲ୍ୟ ମନରେ କରି ଦର୍ଶକମାନଙ୍କୁ ଜ୍ଞାନତଃ ଅଥବା ଅଜ୍ଞାନତଃ ନାନାପ୍ରକାରେ ଅପମାନିତ କରନ୍ତି । ରାଜାନୁଚରମାନେ ଭଦ୍ର ବ୍ୟବହାରେ ଅନଭିଜ୍ଞ, ଯଦି ସେମାନଙ୍କର କିଛି ଅଭିଜ୍ଞତା ଥାଏ, ତାହା କେବଳ ‘‘ଅମୁକ ସ୍ଥାନରେ ଯୋତା ରଖିବାକୁ ହେବ’’ ‘‘ଅମୁକ ସ୍ଥାନରେ ଛତା ରଖିବାକୁ ହେବ’’ ‘‘ଅମୁକ ସ୍ଥାନରେ ଯଷ୍ଟି ରଖିବାକୁ ହେବ’’ ଏହିପରି ବିଷୟମାନଙ୍କ ପ୍ରତି ଆବଦ୍ଧ । ରାଜଦର୍ଶନବେଳେ ସେମାନେ ଏହି ଅଭିଜ୍ଞତାର ପରାକାଷ୍ଠା ପ୍ରଦର୍ଶନ କରନ୍ତି । ବାମଣ୍ଡାରେ ଏହି ଅସୁବିଧାର ଲେଶ ମାତ୍ର ନାହିଁ । ରାଜଦ୍ୱାର ଅବାରିତ, ମହାରାଜା ଆଦୌ ଉପାଧିଜଡ଼ିତ ନୁହନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ମହାରାଙ୍କ ସଙ୍ଗେ ସାକ୍ଷାତ୍ କରି ବହୁ ଦିନର ଚକ୍ଷୁ କର୍ଣ୍ଣର ବିବାଦ ପ୍ରଶମିତ ହେଲା । ଭଦ୍ରତାର ପରାକାଷ୍ଠା ଦେଖି ଆମ୍ଭେମାନେ ମୋହିତ ହେଲୁଁ ।

 

ବାମଣ୍ଡାରେ ଆମ୍ଭମାନେ ୬ ଦିନ ଅବସ୍ଥାନ କଲୁଁ । ଏହି ୬ ଦିନ ମଧ୍ୟରେ ସ୍ଥାନୀୟ ତାବତ୍‌ ଦ୍ରଷ୍ଟବ୍ୟ ଦର୍ଶନ କଲୁଁ । ପୂର୍ବୋକ୍ତ ‘ପ୍ରଧାନ ପାଟ’ ଜଳପ୍ରପାତ ବାମଣ୍ଡାର ସର୍ବପ୍ରଧାନ ଦୃଶ୍ୟ । କେନ୍ଦୁଝରର ଖଣ୍ଡାଧାର ପ୍ରପାତ ଆମ୍ଭେମାନେ ଦେଖି ନାହୁଁ, ମାତ୍ର ପଞ୍ଚବଟୀ ଅନତିଦୂରବର୍ତ୍ତୀ ଗୋଦାବରୀ ଜଳପ୍ରପାତ ଏବଂ ଜବଲପୁରର ନିକଟସ୍ଥ ନର୍ମଦାର ଧୂଆଁଧାର ନାମକ ଜଳପ୍ରପାତ ଆମ୍ଭେମାନେ ଏଥିପୂର୍ବେ ଦେଖିଥିଲୁଁ । ତଥାଚ ପ୍ରଧାନ ପାଟ ସମ୍ମୁଖରେ ଦଣ୍ଡାୟମାନ ହୋଇ ଆମ୍ଭେମାନେ ଭାବିଲୁଁ ଯେ ଏ ଦୃଶ୍ୟ ନ ଦେଖିଲେ ଚକ୍ଷୁଷ୍ମତ୍ତାର ପୂର୍ଣ୍ଣ ଫଳରୁ ବଞ୍ଚିତ ହୋଇଥାନ୍ତୁ । ମହାରାଜଙ୍କ ସମଭିବ୍ୟାହାରରେ ମୁଁ ପ୍ରପାତ ଦେଖିବାକୁ ଗଲି । ପ୍ରପାତ ରାଜଭବନର ଅର୍ଦ୍ଧମାଇଲ ମଧ୍ୟରେ ଅବସ୍ଥିତ । ଏହାର ଗଭୀର ଝର୍ଝର ଶବ୍ଦରେ ଦେବଗଡ଼ ସର୍ବଦା ଝଙ୍କାରିତ ହେଉଅଛି ।

 

ଆମ୍ଭେମାନେ ପଦବ୍ରଜରେ ଗଲୁଁ । ମହାରାଜ ପାଦଚାରରେ ସର୍ବଦା ଅଭ୍ୟସ୍ତ । ଅନୁଚରବର୍ଗ ଏବଂ ଅସ୍ତ୍ରଧାରି-ରକ୍ଷିଗଣରେ ପରିବୃତ ଏବଂ ଯାନାରୂଢ଼ ନ ହେଲେ କେହି କେହି ରାଜା ବହିର୍ଭ୍ରମଣ କରିବାର ଅରାଜୋଚିତ ମନେ କରନ୍ତି । ଏହା ଉପରେ ଯେବେ ଚାମର କାହାଳୀ ପ୍ରଭୃତି ଥାଏ, ତେବେ ରାଜବିଧି ପୂର୍ଣ୍ଣମାତ୍ରାରେ ଅନୁଷ୍ଠିତ ହୁଏ । ବାମଣ୍ଡାରେ ଏ ଦୃଶ୍ୟ ବିରଳ । ମହାରାଜଙ୍କ ସଙ୍ଗେ ମୁଁ ଥିଲି, ଆଉ ଜଣେ ମାତ୍ର ଅନୁଚର ଥିଲା । ସର୍ବପ୍ରଥମରେ ଆମ୍ଭେମାନେ ମହାରାଜଙ୍କର ନବପ୍ରସ୍ତୁତ ଉଦ୍ୟାନ ଦେଖିଲୁଁ । ଅଳ୍ପଦିନ ମଧ୍ୟରେ ଏହି ଉଦ୍ୟାନ ଯେପରି ସୁନ୍ଦର ଏବଂ ବିଚିତ୍ର ହୋଇଅଛି, ସମୟରେ ଏହା ଯେ ବାମଣ୍ଡାର ଗୋଟିଏ ଉତ୍କୃଷ୍ଟ ଦୃଶ୍ୟ ମଧ୍ୟରେ ପରିଗଣିତ ହେବ, ଏଥିରେ ସନ୍ଦେହ ନାହିଁ । ଏହି ଉଦ୍ୟାନର ତରୁଲତା ପ୍ରଧାନ ପାଟ ପ୍ରପାତର ଜଳଦ୍ୱାରା ପରିପୋଷିତ । ସେହି ନିର୍ମଳ ଜଳର ପ୍ରଣାଳୀ ବହୁ ଧାରରେ ବିଭକ୍ତ ହୋଇ ଉଦ୍ୟାନର ଶୀତଳତା ସମ୍ପାଦନ କରୁଅଛି । ଉଦ୍ୟାନରେ ଦେଶୀୟ, ବୈଦେଶିକ ଏବଂ ପାର୍ବତୀୟ ନାନା ପ୍ରକାର ଅଭିନବ ଉଦ୍ଭିଦ ଦେଖିଲି । ଏହି ଉଦ୍ୟାନର ଉତ୍ତରରେ ମଠସମ୍ବଳିତ ଗୋଟିଏ ପ୍ରାଚୀନତର ଉଦ୍ୟାନ ଅଛି । ଏହାର ପାର୍ଶ୍ୱଦେଶରେ ପ୍ରଧାନ ପାଟର କୁଲ୍ୟା ପ୍ରବାହିତ ହେଉଅଛି । ଛାୟାବହୁଳ ହେବାରୁ ସ୍ଥାନଟି ଅତି ସ୍ନିଗ୍ଧ । ଏଠାରେ ନାନା ପ୍ରକାର ବୈଦେଶିକ ଫଳର ବୃକ୍ଷ ଏବଂ ତମାଳ, ଛୁରିଅନା, ନାଗେଶ୍ୱର ପ୍ରଭୃତି ନାନା ପ୍ରକାର କାବ୍ୟୋଚିତ ବୃକ୍ଷମାନ ଅଛନ୍ତି । ଫଳଭାରାବନତ ଅତି ସୁମିଷ୍ଟ କମଳାଲେମ୍ଭୁର ଗଛ, ଫଳିତ କାଫି ଗଛ ଦର୍ଶକର ନେତ୍ରବିନୋଦନ କରୁଅଛି । ଏହି ସ୍ଥାନରେ ବିଦେଶାଗତ ସନ୍ନ୍ୟାସିମାନଙ୍କୁ ସଦାବ୍ରତ ଦିଆଯାଏ । ଆମ୍ଭେମାନେ ଏହି ଉଦ୍ୟାନ ଦେଖି କ୍ରମଶଃ ଅରଣ୍ୟମାର୍ଗରେ ପ୍ରପାତାଭିମୁଖରେ ଗମନ କଲୁଁ । ପ୍ରପାତ ଜଳ ପର୍ବତର ପାଦଦେଶସ୍ଥିତ ଗୋଟିଏ କୁଣ୍ଡରେ ଝର୍ଝର ଶବ୍ଦରେ ପତିତ ହୋଇ ବହି ଯାଉଅଛି । ପର୍ବତ ଉପରେ କିୟଦ୍ଦୂର ଚଢ଼ି ପୁଣି ଓହ୍ଳାଇବାକୁ ହୁଏ । ଅବତରଣ ସୁବିଧା ସକାଶେ ମହାରାଜ ପକ୍କାର ଶିଡ଼ି ବନ୍ଧାଇ ଦେଇଅଛନ୍ତି-। ଏହି ସୋପାନଶ୍ରେଣୀରୁ, ପାଠକ ! ଆମ୍ଭେମାନେ ଯେଉଁ ଦୃଶ୍ୟ ଦେଖିଲୁଁ, ତାହା ଏକପ୍ରକାର ଅପାର୍ଥିବ ଦୃଶ୍ୟ, ସାକ୍ଷାତ୍ ବିଧାତାଙ୍କର କରୁଣାପ୍ରସ୍ରବଣରୁ ନିଃସୃତ କରୁଣାଧାରା ୬୦।୭୦ ହସ୍ତ ଉଚ୍ଚ ଭୃଗୁରୁ ସ୍ୱଚ୍ଛ ଜଳରାଶି ୨୫।୩୦ ହସ୍ତ ପ୍ରସ୍ଥରେ ପାଦଦେଶସ୍ଥିତ କୁଣ୍ଡରେ ଆସି ପଡ଼ୁଅଛି । ହଠାତ୍ ଦେଖିଲେ ବୋଧ ହେବ, ଯେମନ୍ତ ଲକ୍ଷ ଲକ୍ଷ ହୀରକଖଣ୍ଡ ପୁଞ୍ଜୀଭୂତ ହୋଇ ସ୍ୱର୍ଗରୁ ଖସୁଅଛି । ପ୍ରପାତର ଶିରୋଦେଶରେ ବନ୍ଧୁର ଶିଳାର ପ୍ରତିଘାତନିବନ୍ଧନ ଜଳବିନ୍ଦୁ ଇତସ୍ତତଃ ପ୍ରକ୍ଷିପ୍ତ ହୋଇ ମୁକ୍ତା ବୃଷ୍ଟି ହେଲା ପ୍ରାୟ ବୋଧ ହେଉଅଛି । ଜଳର ଶୀକରରେ ଇନ୍ଦ୍ରଧନୁ ନୃତ୍ୟ କରୁଅଛି । ଘୋର ଅରଣ୍ୟ ଏବଂ ଗିରିକନ୍ଦରସୁଲଭ ନିର୍ଜନତାରେ ଏହି ଅପ୍ସରା ଦୃଶ୍ୟ ଦେଖିଲେ ମନ କିପରି ହୁଏ, ତାହା ଯେବେ ତୁମ୍ଭର ଅନୁଭବ କରିବାର ଇଚ୍ଛା ଥାଏ, ଶ୍ରମସ୍ୱୀକାରପୂର୍ବକ ଥରେ ପ୍ରଧାନ ପାଟ ଦେଖି ଆସ । ବିନା ଦର୍ଶନରେ ଏ ଭାବ ଅନୁଭୂତ ହେବାର ନୁହେ ।

 

ପ୍ରାୟ ଅର୍ଦ୍ଧଘଣ୍ଟାକାଳ ଆମ୍ଭେମାନେ ଏହି ଦୃଶ୍ୟ ଦେଖି ବସାକୁ ଫେରି ଆସିଲୁଁ । ମାର୍ଗରେ ଆସୁ ଆସୁ ରୌଦ୍ର ପ୍ରଖର ହେବାରୁ ମୁଁ ଛତା ବ୍ୟବହାର କରିବାକୁ ବାଧ୍ୟ ହେଲି । ମହାରାଜାଙ୍କୁ ଛତା ଧରିବାପାଇଁ ତାହାଙ୍କର ଅନୁଚରଙ୍କୁ କହିଲି । ମହାରାଜ ସ୍ୱହସ୍ତରେ ଛତା ଧରିଲେ । ମୁଁ ଭାବିଲି ଯେ କେବଳ ଭଦ୍ରତାର ଆତିଶଯ୍ୟରୁ ଏପରି କରୁଅଛନ୍ତି । ଏହା ଭାବି ମୁଁ କହିଲି, ‘‘ମହାରାଜ ! ଆପଣଙ୍କର ଯେପରି ଅଭ୍ୟାସ ଅଛି ସେହିପରି କରିବା ହେଉନ୍ତୁ ।’’ ମହାରାଜ କହିଲେ, ‘‘ମୁଁ ତ ସେହିତା କରୁଛି, କେହି ଧରିଲେ ସୁଖ ଲାଗେ ନାହିଁ ।’’ ଏ ଗୋଟିଏ ସାମାନ୍ୟ ଘଟନା ସତ୍ୟ, ମାତ୍ର ଏହିପରି ସାମାନ୍ୟ ସାମାନ୍ୟ ଘଟନାରୁ ଲୋକର ପ୍ରକୃତି ଚିହ୍ନା ପଡ଼େ । ରାଜାମାନେ ଆବାଲ୍ୟରୁ ଆଡ଼ମ୍ବରରେ ଅଭ୍ୟସ୍ତ । ଅଭ୍ୟାସ ଦ୍ୱିତୀୟ ପ୍ରକୃତି, ତେଣୁ ରାଜାମାନଙ୍କ ଆଡ଼ମ୍ବର ଦେଖି କେହି ବିରକ୍ତ କିମ୍ବା ଆଶ୍ଚର୍ଯ୍ୟାନ୍ୱିତ ହୁଅନ୍ତି ନାହିଁ । ମାତ୍ର ସାମାନ୍ୟ ସାମାନ୍ୟ କର୍ମଚାରିମାନେ ଏପରି ବିଷୟମାନଙ୍କରେ ଯେମନ୍ତ ଆଶ୍ଚର୍ଯ୍ୟ ଅଭିନୟ ଦେଖାନ୍ତି, ତାହା ପାଠକ, ଅବଶ୍ୟ ତୁମ୍ଭେ ଦେଖିଥିବ ଏବଂ ତାହା ଦେଖି ମନୁଷ୍ୟ ସ୍ୱଭାବ ପ୍ରତି ତୁମ୍ଭର ଭକ୍ତି ବୃଦ୍ଧି ହୋଇଅଛି କି ନା, ତାହା ମନରେ ବୁଝୁଥିବ ।

 

ବାମଣ୍ଡା ଅବସ୍ଥାନ ସମୟରେ ପ୍ରଧାନ ପାଟ ପ୍ରପାତ ମୁଁ ତିନିଥର ଦେଖିଥିଲି । ପ୍ରତ୍ୟେକ ଥର–

 

‘‘କ୍ଷଣେ କ୍ଷଣେ ଯନ୍ନବତାମୁପୈତି

ତଦେବ ରୂପଂ ରମଣୀୟତାୟାଃ ।’’

 

ମାଘ କବିଙ୍କର ଏହି ପଂକ୍ତିଦ୍ୱୟ ସ୍ମୃତିପଥରେ ଉଦିତ ହେଉଥିଲା । ଫଳତଃ ଏପରି ବିଚିତ୍ର ଦୃଶ୍ୟ ଭାରତବର୍ଷରେ ବିରଳ କହିଲେ ବୋଧ ହୁଏ ଅତ୍ୟୁକ୍ତି ହେବ ନାହିଁ ।

 

ଦେବଗଡ଼ର ପ୍ରାୟ ଅର୍ଦ୍ଧକ୍ରୋଶ ଦକ୍ଷିଣରେ ବାମଣ୍ଡାର ପୂର୍ବତନ ରାଜଧାନୀ ପୁରୁଣାଗଡ଼ ଅବସ୍ଥିତ । ସମ୍ପ୍ରତି ଏଠାରେ ଗୋଟିଏ ପ୍ରାଚୀନ ମନ୍ଦିର ଏବଂ ପ୍ରସ୍ତରସୋପାନବିଶିଷ୍ଟ ଗୋଟିଏ ସୁନ୍ଦର ପୁଷ୍କରିଣୀ ଅଛି । ଗୋଟିଏ ପାର୍ବତୀୟ ନିର୍ଝର ଏହି ପୁଷ୍କରିଣୀକି ଜଳ ଯୋଗାଉଅଛି । ଯଦିଚ ପ୍ରଧାନ ପାଟର ଜଳ କୃତ୍ରିମ ପୟଃ ପ୍ରଣାଳୀ ଦ୍ୱାରା ପ୍ରତ୍ୟେକ ଗୃହସ୍ଥର ଉପଭୋଗ୍ୟ ହୋଇଅଛି, ତଥାଚ ଜଳ ବାୟୁ ସମ୍ବନ୍ଧରେ ଦେବଗଡ଼ ସ୍ୱାସ୍ଥ୍ୟକର ବୋଲି ପ୍ରତିଷ୍ଠିତ ନୁହେ । ବୈଦେଶିକ ଲୋକମାନେ ଏଠାରେ ପ୍ରାୟ ଜ୍ୱର ରୋଗରେ ଆକ୍ରାନ୍ତ ହୁଅନ୍ତି । କେହି କେହି ବହୁ ବର୍ଷ ଏଠାରେ ଅତିବାହିତ କରି ସୁଦ୍ଧା ଅଦ୍ୟାପି ସାମୟିକ ଜ୍ୱରର ଶରବ୍ୟ ହେଉଅଛନ୍ତି ।
 

ଶିକ୍ଷା ବିଷୟରେ ମହାରାଜାଙ୍କର ଆଶାତୀତ ଉତ୍ସାହ ଦେଖି ଆମ୍ଭେମାନେ ଅତ୍ୟନ୍ତ ପ୍ରୀତ ହେଲୁଁ । ରାଜ୍ୟର ପ୍ରଧାନ ପ୍ରଧାନ ସ୍ଥାନମାନଙ୍କରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଅଛି ଏବଂ ସେହି ବିଦ୍ୟାଳୟ ସମୂହର ତତ୍ତ୍ୱାବଧାନ ଭାର ଜଣେ ସୁଦକ୍ଷ କର୍ମଚାରୀ ପ୍ରତି ଅର୍ପିତ ହୋଇଅଛି । ମଫସଲର ସ୍କୁଲମାନଙ୍କରେ ସମ୍ପ୍ରତି ଯେଉଁମାନେ ଶିକ୍ଷକତା କାର୍ଯ୍ୟ ଚଳାଉଅଛନ୍ତି, ସେମାନଙ୍କ ଅପେକ୍ଷା ଯୋଗ୍ୟତର ବ୍ୟକ୍ତି ନିଯୁକ୍ତ ହେବାର ବାଞ୍ଛନୀୟ । ମାତ୍ର ଶିକ୍ଷାର ପ୍ରଥମାବସ୍ଥାରେ ସୁଯୋଗ୍ୟ ବ୍ୟକ୍ତି ପାଇବା ସହଜ କଥା ନୁହେ ଏବଂ ଅପାତତଃ ଯେପରି ଲୋକ ସୁଲଭ, ସେହି ମାନଙ୍କଦ୍ୱାରା କାର୍ଯ୍ୟ ଚଳାଇବାର ଯେଉଁ ବନ୍ଦୋବସ୍ତ ହୋଇଅଛି, ତାହା ସୁବିବେଚନାସଙ୍ଗତ ବୋଧ ହୁଏ ।

 

ଦେବଗଡ଼ସ୍ଥିତ ରାଜକୁମାର-ସ୍କୁଲରେ କଲିକତା ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷୋପଯୋଗୀଶିକ୍ଷା ଦେବାର ବିହିତ ବନ୍ଦୋବସ୍ତ ହୋଇଅଛି । ରାଜକୁମାର-ସ୍କୁଲ କେବଳ ରାଜକୁମାରମାନଙ୍କ ଶିକ୍ଷା ନିମନ୍ତେ ପ୍ରତିଷ୍ଠିତ ହୋଇ ନାହିଁ । ଏହି ବିଦ୍ୟାଳୟ ରାଜ୍ୟ ମଧ୍ୟରେ ପ୍ରଧାନତମ ସାଧାରଣ ଶିକ୍ଷାମନ୍ଦିର । ଦୁଃଖର ବିଷୟ, ସମଗ୍ର ଓଡ଼ିଶା ଗଡ଼ଜାତ ମଧ୍ୟରେ ଆଜିପର୍ଯ୍ୟନ୍ତ ଏ ଶ୍ରେଣୀର ଗୋଟିଏ ବିଦ୍ୟାଳୟ ସୁଦ୍ଧା ସ୍ଥାପିତ ହୋଇ ନାହିଁ ।

 

ଅଳଙ୍କାରବୋଧୋଦୟ ପ୍ରଣେତା ମହାରାଜ ବାସୁଦେବ ସଂସ୍କୃତ ଭାଷାରେ ସୁପଣ୍ଡିତ । ଏହାର ପରିଚୟ ବୋଧ ହୁଏ ଶିକ୍ଷିତ ଉତ୍କଳବାସିଙ୍କୁ ଦେବାର ଅନାବଶ୍ୟକ । ଓଡ଼ିଆ ଭାଷାର ଉତ୍କର୍ଷ ସାଧନ ବିଷୟରେ ମଧ୍ୟ ତାଙ୍କର ଯଥେଷ୍ଟ ଆସ୍ଥା ଲକ୍ଷିତ ହେଲା ।

 

ପ୍ରତ୍ୟେକ ବିଭାଗର କାର୍ଯ୍ୟ ପୁଙ୍ଖାନୁପୁଙ୍ଖ ପର୍ଯ୍ୟବେକ୍ଷଣ କରି, ଏକାକୀ ପଦବ୍ରଜରେ ତାବତ୍‌ ସାଧାରଣ କାର୍ଯ୍ୟାଳୟ, ଅଶ୍ୱଶାଳ, ହସ୍ତିଶାଳା, ସଦାବ୍ରତ ଏବଂ ଉଦ୍ୟାନାଦି ପରିଭ୍ରମଣ ମରି ସୁଦ୍ଧା ମହାରାଜ ପତ୍ୟହ ପ୍ରାୟ ୬।୭ ଘଣ୍ଟାକାଳ ସଂସ୍କୃତ ଏବଂ ବଙ୍ଗୋକୁଳ ପୁସ୍ତକାଲୋଚନାରେ ଏବଂ ପଣ୍ଡିତମାନଙ୍କ ସହିତ ଶାସ୍ତ୍ରଚର୍ଚ୍ଚାରେ ଅତିବାହିତ କରନ୍ତି । ମହାରାଜଙ୍କର ଗୋଟିଏ ସୁସଜ୍ଜିତ ସଂସ୍କୃତ ପୁସ୍ତକାଳୟ ଅଛି । ଉଲ୍ଲିଖିତ ବିବରଣରୁ ପାଠକ ସହଜରେ ବୁଝି ପାରିବେ ଯେ ଏହି ପୁସ୍ତକାଳୟଟି ନିତାନ୍ତ ପୋଷାକୀ ପୁସ୍ତକାଳୟ ନୁହେ । ମହାରାଜ ସ୍ୱୟଂ ସଂସ୍କୃତାନୁରାଗୀ, ଏମନ୍ତ ସ୍ଥଳରେ ରାଜ୍ୟ ମଧ୍ୟରେ ସଂସ୍କୃତ ବିଦ୍ୟାଳୟର ଅଭାବ ଆପାତତଃ ଆଶ୍ଚର୍ଯ୍ୟଜନକ ବୋଧ ହୋଇ ପାରେ । ପ୍ରକୃତ କଥା ଏହି ଯେ, ଏ ବିଷୟରେ ମହାରାଜ ପ୍ରଗାଢ଼ ଯତ୍ନ କରି ସୁଦ୍ଧା ସ୍ଥାନୀୟ ବ୍ରାହ୍ମଣମାନଙ୍କର ଅଗ୍ରାହକତା ଏବଂ ଅନାସ୍ଥା ନିବନ୍ଧନ ଅକୃତକାର୍ଯ୍ୟ ହୋଇଅଛନ୍ତି ।

 

ବାମଣ୍ଡାର ଚିକିତ୍ସାଳୟର ବନ୍ଦୋବସ୍ତ ଅତି ସୁନ୍ଦର, ଔଷଧ, ପଥ୍ୟ ଦ୍ରବ୍ୟ ଏବଂ ଯନ୍ତ୍ରାଦିର ଅଭାବ ନାହିଁ । ମଫସଲରେ ଲୋକମାନଙ୍କୁ ବସନ୍ତ ରୋଗରୁ ରକ୍ଷାକରିବା ନିମନ୍ତେ ଟିକାଦାତାମାନେ ଗ୍ରାମ ଗ୍ରାମ ଭ୍ରମଣ କରୁଅଛନ୍ତି । ଚିକିତ୍ସାଳୟର ରେଜେଷ୍ଟରୀ ଦୃଷ୍ଟିରେ ଜଣାଗଲା ଯେ ଏଠାରେ ଡାକ୍ତରମାନେ ନିତାନ୍ତ ରାଜ-ମୋସାହେବ ନୁହନ୍ତି, ବାସ୍ତବିକ ଏମାନଙ୍କୁ ମୁଣ୍ଡ ତତାଇ ହାଣ୍ଡି ତତାଇବାକୁ ହୁଏ ।

 

ମହାରାଜ ପ୍ରାୟ ୩।୪ ବର୍ଷ ହେଲା ଗୋଟିଏ ମୁଦ୍ରାଯନ୍ତ୍ର ସ୍ଥାପନ କରିଅଛନ୍ତି । ରାଜଭ୍ରାତା ଶ୍ରୀଯୁକ୍ତ ବାବୁ ବୃନ୍ଦାବନଚନ୍ଦ୍ର ଦେବ ମହୋଦୟ ଏହି ପ୍ରେସ୍‌ର କାର୍ଯ୍ୟାଧ୍ୟକ୍ଷସ୍ୱରୂପ ନିଯୁକ୍ତ ହୋଇଅଛନ୍ତି । ବୃନ୍ଦାବନ ବାବୁ ଜଣେ ସୁଶିକ୍ଷିତ ଏବଂ କାର୍ଯ୍ୟଦକ୍ଷ ବ୍ୟକ୍ତି । ଶିଳ୍ପକୌଶଳରେ ମହାରାଜଙ୍କର ତୁଲ୍ୟକକ୍ଷ ବୋଲି ଏହାଙ୍କର ପ୍ରତିଷ୍ଠା ଅଛି । ମୁଦ୍ରାଯନ୍ତ୍ର ଚଳାଇବା ବିଷୟରେ ମଫସଲସୁଲଭ ନାନାବିଧ ବାଧା ଏବଂ ଅସୁବିଧା ଅତିକ୍ରମ କରି ଏ ମହାଶୟ ଯେମନ୍ତ ଦକ୍ଷତା ସହିତ ପ୍ରେସ୍ ଚଳାଉଅଛନ୍ତି, ସେଥିରୁ ବୋଧହୁଏ ଯେ ଏହି ମୁଦ୍ରାଯନ୍ତ୍ର ଅଳ୍ପ ସମୟ ମଧ୍ୟରେ ଆତ୍ମପୋଷଣକ୍ଷମ ହୋଇ ପାରିବ ।

 

କଳାହାଣ୍ଡିର କୁମାର ଶ୍ରୀଯୁକ୍ତ ରାମଚନ୍ଦ୍ର ନିନାଦେଓ ଦୁର୍ଦୈବବଶତଃ ଘଟନାବିପାକରେ ପୈତୃକ ରାଜ୍ୟରୁ ବଞ୍ଚିତ ହୋଇ ସମ୍ପ୍ରତି ବାମଣ୍ଡା ମହାରାଜଙ୍କ ଆଶ୍ରୟରେ ରାଜଭବନର ଅନତିଦୂରରେ ଅବସ୍ଥାନ କରୁଅଛନ୍ତି । ନିନା ବାବୁ ଜଣେ ତେଜସ୍ୱୀ ପୁରୁଷ, ମୃଗୟା ଏବଂ ଅସ୍ତ୍ରଚାଳନାରେ ବିଲକ୍ଷଣ ପଟୁ । ରାଜ୍ୟକୁ ବନ୍ୟଜନ୍ତୁର ଉପଦ୍ରବରୁ ରକ୍ଷା କରିବାର ଭାର ସମ୍ପ୍ରତି ଏହାଙ୍କ ହସ୍ତରେ ନ୍ୟସ୍ତ ଥିବା ପ୍ରାୟ ବୋଧ ହୁଏ । ଏହାଙ୍କ ରଚିତ ‘‘ଜଳଧର-ଚଉତିଶା’’ ଏବଂ ‘‘ରସତରଙ୍ଗିଣୀ’’ ଏହାଙ୍କର ରୁଚି ଏବଂ ରଚନାଶକ୍ତିର ଆଂଶିକ ପରିଚାୟକରୂପେ ଗୃହୀତ ହୋଇ ପାରେ । ଆମ୍ଭେମାନେ ଏହାଙ୍କର ଉଦାରତା ଏବଂ ଅମାୟିକତା ଦେଖି ମୋହିତ ହୋଇଥିଲୁଁ ।

 

ମହାରାଜ ଯେ ବିପଦରେ ଏହାଙ୍କର ସହାୟ ହୋଇ ଏହାଙ୍କୁ ଆଶ୍ରୟ ପ୍ରଦାନ କରିଅଛନ୍ତି, ଏହା ତାହାଙ୍କର ମହତ୍ତ୍ୱ ଏବଂ ଆଭିଜାତ୍ୟର ସମୁଚିତ ହୋଇଅଛି ।

 

ଶାସନ ଏବଂ ରାଜସ୍ୱ ବିଭାଗର ପ୍ରଧାନ କର୍ମଚାରୀମାନଙ୍କ ମଧ୍ୟରେ ଉପଯୁକ୍ତ ଏବଂ ସତ୍‌ପ୍ରକୃତିକ ଲୋକର ଅଭାବ ନାହିଁ । ମାତ୍ର ଏମାନଙ୍କର ବେତନ ପଦୋଚିତ ଏବଂ ଦାୟିତ୍ୱାନୁରୂପ ବୋଧ ହେଲା ନାହିଁ । ଏହା ସତ୍ୟ ଯେ ସ୍ୱୟଂ ମହାରାଜ ଶାସନଯନ୍ତ୍ରର ପ୍ରଧାନ ଚାଳକ ଏବଂ ତାହାଙ୍କର ତୀବ୍ର ଏବଂ ମର୍ମଭେଦୀ ଦୃଷ୍ଟି ପ୍ରତ୍ୟେକ କର୍ମଚାରିର କାର୍ଯ୍ୟର ଉତ୍କର୍ଷାପକର୍ଷ ଅବକଳନା କରୁଅଛି । ମାତ୍ର ଏହା କହିଲେ ଯେ ପ୍ରୋକ୍ତ ଅଳ୍ପ ବେତନ ସମର୍ଥିତ ହେଲା, ତାହା ନୁହେ ।

 

ବାମଣ୍ଡାରେ ଆମ୍ଭେମାନେ ଯେତେଦିନ ଥିଲୁଁ, ଏହି ସମୟ ମଧ୍ୟରେ ଆମ୍ଭମାନଙ୍କର ସମଭିବ୍ୟାହାରୀଂ କେତେକ ବ୍ୟକ୍ତି ପୀଡ଼ିତ ହେଲେ । ଏ ସମୟରେ ମହାରାଜଙ୍କର ଆଶାତୀତ ସୌଜନ୍ୟ ଦେଖି ଆମ୍ଭେମାନେ କି ପର୍ଯ୍ୟନ୍ତ ପ୍ରୀତ ହୋଇଥିଲୁଁ, ତାହା କହି ନ ପାରୁଁ । ମହାରାଜ ପ୍ରାୟ ପ୍ରତ୍ୟହ ଦୁଇ ଥର ଆମ୍ଭମାନଙ୍କ ବସାକୁ ଆସି ରୋଗିଙ୍କର ତତ୍ତ୍ୱ ନେଉଥିଲେ ଏବଂ ରୋଗିଙ୍କର ଯେତେବେଳେ ଯାହା ଆବଶ୍ୟକ ହେଉଥିଲା, ଯଥାସମୟରେ ତାହା ଯୋଗାଇବାର ସୁବ୍ୟବସ୍ଥା କରାଇ ଦେଉଥିଲେ ।

 

ମହାରାଜଙ୍କ ଅଧିକାଂଶ କାର୍ଯ୍ୟ ବିଚକ୍ଷଣତା ଏବଂ ଶ୍ରମଶୀଳତାର ପରିଚାୟକ । ବ୍ୟସନ ଏହାକୁ ସ୍ପର୍ଶ କରି ନାହିଁ । ଅଧିକାଂଶ ରାଜାମାନଙ୍କ ପରି ନିଷ୍କର୍ମା ଭାଗ୍ୟବାନ୍ ହୋଇ ସନ୍ତୁଷ୍ଟ ରହିବାର ଏହାଙ୍କର ପ୍ରକୃତିବିରୁଦ୍ଧ ବୋଧହୁଏ । ଦୁର୍ଭାଗ୍ୟକ୍ରମେ ଅଧିକାଂଶ ରାଜା ରାଜପଣ ପାଇ ମନୁଷ୍ୟପଣ ହରାନ୍ତି । ଏମାନଙ୍କଠାରୁ ଦୈବାଧୀନ ରାଜପଣ ବାଦ୍‌ ଦିଅ, ବାକି କଣ ରହିଲା ? ବାକି କେବଳ ଗୋଟିଏ ଅକର୍ମଣ୍ୟ ବ୍ୟସନୀ ପୁରୁଷ । ବାସୁଦେବଙ୍କ କାର୍ଯ୍ୟାବଳୀ ଦେଖିଲେ ସ୍ୱୟଂ ଈର୍ଷା ସୁଦ୍ଧା କହି ପାରିବ ନାହିଁ । ରାଜପଣ ବାଦ୍‌ ଦିଅ, ମହାରାଜ ବାସୁଦେବ ତଥାଚ ନରରାଜ । ପ୍ରକୃତିର ନରରାଜଙ୍କ ହସ୍ତରେ ଦୈବାଧୀନ ରାଜପଣ ନ୍ୟସ୍ତ ହେଲେ ଯେମନ୍ତ ହେବାର ଉଚିତ, ବାସୁଦେବ ସମ୍ପୂର୍ଣ୍ଣରୂପେ ନ ହେଉ, ଅନ୍ତତଃ ବହୁପରିମାଣରେ ସେହିପରି ହୋଇଅଛନ୍ତି ଏବଂ ଏପରି ରାଜପଣ ସମୟରେ ରାଜ୍ୟର ଯେମନ୍ତ ଉନ୍ନତି ହେବାର ଉଚିତ, ବାମଣ୍ଡା ସେହି ଉନ୍ନତିରୁ ବଞ୍ଚିତ ହୋଇ ନାହିଁ ।

 

ଦେବଗଡ଼ରେ ସ୍ତାବକମାନଙ୍କର ସମୟ ସମୟରେ କିପରି ସତ୍କାର ହୁଏ, ନିମ୍ନୋକ୍ତ ଘଟନା ସେଥିର ପରିଚାୟକ । ଦିନେ କଥୋପକଥନ ପ୍ରସଙ୍ଗରେ କୌଣସି ବିଷୟରେ ମହାରାଜଙ୍କ ସହିତ ମୋହର ସହିତ ମୋହର ମତାନ୍ତର ହେଲା । ଅନେକ ବିତଣ୍ଡା ପରେ ମହାରାଜ କହିଲେ, ‘‘ଆପଣ ଯାହା କହିଲେ, ମୁଁ ତହିଁରେ ଏକମତ ହୋଇ ପାରୁ ନାହିଁ । ଆପଣଙ୍କ ମତ ଇଉରୋପୀୟ ମତ ଅନୁସାରେ ଗଠିତ, ଆପଣ ସାହେବୀ ମତର ଅଯଥା ପକ୍ଷପାତୀ ।’’ ମୁଁ ବିହିତ ଉତ୍ତର ଦେଇ କାର୍ଯ୍ୟାନୁରୋଧରେ ବସାକୁ ଆସିଲି । ମୋହର ଅନୁପସ୍ଥିତି ସମୟରେ ମହାରାଜ ପାର୍ଶ୍ୱଚରମାନଙ୍କ ମଧ୍ୟରୁ ଜଣକୁ ତାଙ୍କର ନିଜ ମତ ପଚାରିଲେ । ପାର୍ଶ୍ୱଚର ଉତ୍ତର କଲେ; ‘‘ମଣିମା, ଛାମୁରୁ ଯେଉଁ ଆଜ୍ଞା ହେଲା, ପ୍ରମାଣ, ଏ ସାହେବମାନଙ୍କ କଥାରେ ଭୁଲିଅଛନ୍ତି । କେତେ ସାହେବ ଆସି ବାଡ଼ିତଳେ ପଡ଼ିଅଛନ୍ତି ।’’ ମହାରାଜ ଶୁଣି ଈଷଦ୍ଧାସ୍ୟ କରି କହିଲେ, ‘‘ତୁମେ ମୋ ସନ୍ତୋଷପାଇଁ ମୋ ଆଗରେ ଯେମନ୍ତ କହିଲ, ସାହେବ ଆଗରେ କାଳେ ଏ କଥା ନ କହ ଯେ-‘ହଜୁର ! କେତେ ରାଜା ଆପଣଙ୍କ ବାଡ଼ିତଳେ ପଡ଼ିଅଛନ୍ତି’ ।’’

 

ବାମଣ୍ଡାର ପଶ୍ଚିମ ଏବଂ ଉତ୍ତରାଂଶ ଦେଖିବା ପାଇଁ ଆମ୍ଭେମାନେ ସମୟ ପାଇଲୁଁ ନାହିଁ-

 

ଗଡ଼ରୁ-ସମ୍ବଲପୁରକୁ ଗୋଟିଏ ପ୍ରଶସ୍ତ ପକ୍କା ସଡ଼କ ଯାଇଥିବାର ଶୁଣିଲୁଁ । ଏହି ସଡ଼କରେ ସମ୍ବଲପୁରରୁ ଡାକ ଆସେ । କୋଚିଣ୍ଡା ନାମକ ବାମଣ୍ଡାର ଗୋଟିଏ ଉର୍ବରା ଏବଂ ସମୃଦ୍ଧିଶାଳୀ ସବ୍‌-ଡିଭିଜନ ଏହି ସଡ଼କର ଉତ୍ତରାଂଶରେ ଅବସ୍ଥିତ । ବାମଣ୍ଡାର ଉତ୍ତରାଂଶ ନିରବଚ୍ଛିନ୍ନ ପର୍ବତ-ସମାକୀର୍ଣ୍ଣ । କୃଷିଯୋଗ୍ୟ ଭୂମି ଏ ଅଞ୍ଚଳରେ ନିତାନ୍ତ ବିରଳ । ବାମଣ୍ଡାରୁ ଲହଡ଼ା ଆସିବାକୁ ଆମ୍ଭମାନଙ୍କୁ ତିନି ଦିନ ଲାଗିଲା । ମାର୍ଗରେ ବସାରଇ, ତଅଁରା, ବାରକୂଟ, କଳାସଇତା ପ୍ରଭୃତି ସ୍ଥାନମାନ ଦେଖି ଆସିଲୁଁ । ପ୍ରତ୍ୟେକ ଗ୍ରାମର ଗଳି ଗଳି ସଡ଼କ । ଅଧିକାଂଶ ଗ୍ରାମ ଟଙ୍କ (ଟାଙ୍ଗି) ଭୂମିରେ ଅବସ୍ଥିତ ହେବାରୁ ବିନା ଯତ୍ନ ଏବଂ ବ୍ୟୟରେ ସଡ଼କମାନ ପକ୍କା ସଡ଼କ ପରି ହୋଇଅଛି । ବାରକୂଟ ଗ୍ରାମ ବ୍ରାହ୍ମଣୀର ପୂର୍ବତୀରବର୍ତ୍ତୀ । ଏଠାରେ ବର୍ଷର ଅଧିକାଶଂ ସମୟରେ ବାୟୁ ପ୍ରାୟ ଝଟିକାକାରରେ ବହୁଥାଏ ।

 

ଚୁଳିଆ ଏବଂ ଅନ୍ୟାନ୍ୟ ପର୍ବତର ସାନ୍ନିଧ୍ୟ ହେତୁରୁ ସ୍ଥାନର ଦୃଶ୍ୟ ଅତି ସୁନ୍ଦର । ଏଠାରେ ରାଜାଙ୍କର ଥାନା, ଗୋଦାମ ଏବଂ ରମ୍ଭା ନାମ୍ନୀ ଗ୍ରାମଦେବୀଙ୍କର ମନ୍ଦିର ଅଛି । କଳାସଇତା ଗ୍ରାମ ଗୋଟିଏ କ୍ଷୁଦ୍ର, ସହର ପରି ବୋଧ ହୁଏ । ଦୀର୍ଘକାଳ ରାଜଧାନୀ ପରିତ୍ୟାଗ ଉତ୍ତାରୁ ରାଜ୍ୟର ଅନ୍ତର୍ବର୍ତ୍ତୀ ଜନପଦରେ ପରିଭ୍ରମଣକାଳୀନ ଆମ୍ଭମାନଙ୍କର କୌଣସି କଷ୍ଟ ହୋଇ ନାହିଁ ।

 

ମହାରାଜଙ୍କଠାରୁ ଆମ୍ଭେମାନେ ବିଦାୟ ହୋଇ ଆସିଥିଲୁଁ ସତ୍ୟ, ମାତ୍ର ତାହାଙ୍କର ସୌଜନ୍ୟର ପ୍ରଭାବ ସମଗ୍ର ରାଜ୍ୟବ୍ୟାପୀ ପ୍ରାୟ ବୋଧ ହେଲା ଏବଂ ସମଗ୍ର ଜନପଦବାସୀ ସେହି ସୌଜନ୍ୟଦ୍ୱାରା ସଂକ୍ରମିତ ପ୍ରାୟ ବୋଧ ହେଉଥିଲେ ।

Image

 

ଲହଡ଼ା ଏବଂ କେନ୍ଦୁଝର

 

ବାମଣ୍ଡାରୁ ଲହଡ଼ା ଆସିବାକୁ ତିନି ଦିନ ଲାଗିଥିଲା । ଓଡ଼ିଶାର ସର୍ବପ୍ରଧାନ ପର୍ବତ ମାଲ୍ୟଗିରି ଲହଡ଼ା ରାଜଧାନୀର ତିନି କ୍ରୋଶ ଦୂରରେ ଅବସ୍ଥିତ । ଏହି ପର୍ବତକୁ କେହି କେହି ରାମାୟଣର ମାଲ୍ୟବନ୍ତ ବୋଲି କହନ୍ତି । ମାତ୍ର ଏ କଥା ପ୍ରାମାଣିକ ବୋଲି ବୋଧ ହେଉ ନାହିଁ । ବାଲ୍ମୀକିରେ ରାମଙ୍କର ଲଙ୍କାଗମନ ମାର୍ଗ ଯେମନ୍ତ ବର୍ଣ୍ଣିତ ହୋଇଅଛି, ତାହା ପଢ଼ିଲେ ଏହି ଭ୍ରମାତ୍ମକ ଅନୁମାନ ଅବଶ୍ୟ ବିଦୂରିତ ହେବ ।

 

ଆମ୍ଭେମାନେ ଲହଡ଼ାଭିମୁଖରେ ଯେତେ ଅଗ୍ରସର ହେଉଥିଲୁଁ, ମାଲ୍ୟଗିରିର ବିଶାଳ ଅବୟବମାନ କ୍ରମଶଃ ପରିସ୍ଫୁଟ ହେଉଥିଲା । ଏହି ପର୍ବତଟି କେବଳ ଲହଡ଼ାର ନୁହେ, ଓଡ଼ିଶାର ମଧ୍ୟ ଗୋଟିଏ ପ୍ରଧାନ ଦୃଶ୍ୟ । ଦେଖିଲାକ୍ଷଣି ଏହାର ବିରାଟ ଭାବ ସ୍ପଷ୍ଟ ଉପଲବ୍ଧ ହୁଏ ।

 

ସମୟାଭାବରୁ ଆମ୍ଭେମାନେ ପର୍ବତର ଅତି ନିକଟବର୍ତ୍ତୀ ହୋଇ ସୁଦ୍ଧା ଆରୋହଣସୁଖରୁ ବଞ୍ଚିତ ହେଲୁଁ । ପର୍ବତ ମଧ୍ୟ ଅତି ଦୁରାରୋହ । ଗ୍ରୀଷ୍ମ ବ୍ୟତୀତ ଅନ୍ୟ ଋତୁରେ ଏହା ଦୁଷ୍ପ୍ରବେଶ୍ୟ । ବିଶେଷତଃ ଶୀତକାଳର ନିବିଡ଼ ଶିକୁଳା ବନ ପର୍ଯ୍ୟଟକମାନଙ୍କର ପ୍ରଧାନ ଅନ୍ତରାୟ ହୁଏ ।

 

ଲହଡ଼ା ରାଜଧାନୀ ମାଙ୍କଡ଼ା ନାମକ ବ୍ରାହ୍ମୀର ଗୋଟିଏ ଉପନଦୀ ତୀରରେ ଅବସ୍ଥିତ । ସ୍ଥାନଟି ଅପରିଷ୍କୃତ ନୁହେ, ମାତ୍ର ରାଜପଥର ବିଶେଷ ଅଭାବ ଲକ୍ଷିତ ହେଲା ।

 

ଶିକ୍ଷା ବିଷୟରେ ମହାରାଜଙ୍କର ଆସ୍ଥା ଥିବାର ବୋଧ ହେଲା । ମାତ୍ର ସେହି ଆଶା ରୀତିମତ କାର୍ଯ୍ୟରେ ପରିଣତ ହୋଇଥିବାର ପରିଚୟ ମିଳିଲା ନାହିଁ । ସଂସ୍କୃତ ଶିକ୍ଷା ବିଷୟରେ ମହାରାଜଙ୍କର ତ୍ରୁଟି ନାହିଁ ଏବଂ ସେହି ଅନୁଷ୍ଠାନ କିୟତ୍‌ପରିମାଣରେ ଫଳପ୍ରଦ ହୋଇଅଛି । ବିଦେଶୀୟ ସଂସ୍କୃତଜ୍ଞ ପଣ୍ଡିତମାନେ ମଧ୍ୟ ମହାରାଜଙ୍କଠାରୁ ଯଥେଷ୍ଟ ଉତ୍ସାହ ପ୍ରାପ୍ତ ହୁଅନ୍ତି ।

 

ପଥିକମାନଙ୍କ ପ୍ରତି ମହାରାଜଙ୍କର ଭଦ୍ରତା ଓ ସୌଜନ୍ୟର ପ୍ରତିଷ୍ଠା ପୂର୍ବରୁ ଶୁଣିଥିଲୁଁ । ଯାହା ଦେଖିଲୁଁ, ତାହା ସେହି ପ୍ରତିଷ୍ଠାର ସମ୍ପୂର୍ଣ୍ଣ ପୋଷକ ଅଟେ । ମହାରାଜଙ୍କ ସହିତ ସାକ୍ଷାତ୍ କରି ତାହାଙ୍କ ସୁଶୀଳତା ଏବଂ ଅମାୟିକତାରେ ଆମ୍ଭେମାନେ ଅତ୍ୟନ୍ତ ପ୍ରୀତ ହୋଇଥିଲୁଁ । ଏହାଙ୍କ ରାଜ୍ୟ କ୍ଷୁଦ୍ର, ଆୟ ଅଳ୍ପ, ମାତ୍ର ହୃଦୟ ପ୍ରକୃତ ରାଜୋଚିତ ହୃଦୟ, ଏଥିରେ ଲେଶମାତ୍ର ସନ୍ଦେହ ନାହିଁ । ତିନି ଚାରି ବର୍ଷ ତଳେ ମହାରାଜଙ୍କ ସମ୍ବନ୍ଧରେ କିପରି ଭୟାନକ ଜନରବ ଉଠିଥିଲା, ତାହା ପାଠକମାନଙ୍କର ସ୍ମରଣ ଥାଇ ପାରେ । ଦୁର୍ବୃତ୍ତର ଅସାଧ୍ୟ କାର୍ଯ୍ୟ ନାହିଁ, ସହସ୍ର ସାଧୁ ହେଲେ ସୁଦ୍ଧା ଦୁର୍ବୃତ୍ତର ହିଂସାର ଶରବ୍ୟ ହେବାକୁ ହୁଏ ।

 

ପୁଷ୍କରିଣୀ, ରାଜପଥ, ବିଦ୍ୟାଳୟ ଓ ଚିକିତ୍ସାଳୟ ପ୍ରଭୃତି ହିତକର କାର୍ଯ୍ୟ ସମ୍ବନ୍ଧରେ ଲହଡ଼ା ଆଶାନୁରୂପ ଅଗ୍ରସର ହୋଇଥିବାର ବୋଧ ହେଲା ନାହିଁ । ଋଣର ଆତିଶଯ୍ୟ ଗୋଟିଏ ପ୍ରଧାନ ଅନ୍ତରାୟ ସନ୍ଦେହ ନାହିଁ । ତଥାଚ ଆୟ ବ୍ୟୟର ସମତା ପ୍ରତି ଦୃଷ୍ଟି ରଖି ନିୟମିତରୂପେ ଚଳି ପାରିଲେ ମହରାଜ ନିଜ ରାଜ୍ୟକୁ ଅନେକ ଦୂର ଉନ୍ନତିମାର୍ଗରେ ନେଇ ପାରିବେ ।

 

ଲହଡ଼ାରେ ଚାରି ଦିନ ଅବସ୍ଥାନାନନ୍ତର ଆମ୍ଭେମାନେ କେନ୍ଦୁଝର ଯାତ୍ରା କଲୁଁ । ଖଣ୍ଡାଧାର ବାଟେ ଯିବାର ପୂର୍ବରୁ ସଂକଳ୍ପ ଥିଲା, ମାତ୍ର କେତେକ ଅସୁବିଧା ଘଟିବାରୁ ଅଗତ୍ୟା ସେହି ସଂକଳ୍ପ ପରିତ୍ୟାଗ କଲୁଁ । ପ୍ରଥମ ଦିନ ପୂର୍ବାହ୍ନ ୧୧ଟା ବେଳ ବାହାରି ରାତ୍ର ଏକପ୍ରହର ସମୟରେ ଗୋବିନ୍ଦପୁର ନାମକ ଆରଣ୍ୟପଲ୍ଲୀରେ ଉପସ୍ଥିତ ହେଲୁଁ । ଏହି ମାର୍ଗ ଅତି ଉଚ୍ଚାବଚ ଏବଂ ନିବିଡ଼ ଅରଣ୍ୟାନୀମୟ । ବନଦେବତାର ପ୍ରାସାଦରୂପୀ ବିଶାଳ ବନସ୍ପତିମାନଙ୍କ ଛାୟାରେ ଚତୁର୍ଦ୍ଦିଗ ଅନ୍ଧକାରିତ ଏବଂ ଝିଲ୍ଲିରବରେ ବନଭୂମି ସର୍ବଦା ଝଙ୍କାରିତ । ଆମ୍ଭେମାନେ ଏ ଯାତ୍ରାରେ ଏପରି ଘୋର ଅରଣ୍ୟ ଏହି ପ୍ରଥମ ଦେଖିଲୁଁ । ଉଚ୍ଚ ଭୂମିରେ ସଞ୍ଚରଣବେଳେ ମାଲ୍ୟଗିରିର ଭୀଷଣ ମୂର୍ତ୍ତି ଏବଂ ତାହାର ବକ୍ଷସ୍ଥିତ ଗୋଟିଏ ସ୍ପଟିକବତ୍‌ ଶୁଭ୍ର ଜଳାସ୍ତରଣ ଆମ୍ଭମାନଙ୍କ ନେତ୍ରଗୋଚର ହେଉଥିଲା । ଏହି ଜଳାସ୍ତରଣ ସମ୍ଭବତଃ ଗୋଟିଏ ପ୍ରପାତ ହୋଇଥିବ । ଆମ୍ଭେମାନେ ମାର୍ଗରେ ଯାଉଁ ଯାଉଁ ସନ୍ଧ୍ୟା ସମୟରେ ଏକ ସ୍ଥାନରେ ସଦ୍ୟଃ ଗୋଟିଏ ବୃହତ୍ ବ୍ୟାଘ୍ର ଚାଲି ଯାଇଥିବାର ସ୍ପଷ୍ଟ ଚିହ୍ନମାନ ଦେଖି ଶଙ୍କିତ ହେଲୁଁ ଏବଂ ସମସ୍ତେ ଦଳ ବାନ୍ଧି ଅଗ୍ରସର ହେବାକୁ ଲାଗିଲୁଁ ।

 

ଗୋବିନ୍ଦପୁର ଗୋଟିଏ କ୍ଷୁଦ୍ର ଭୂୟାଁ ପଲ୍ଲୀ । ପ୍ରତ୍ୟକ ଭୂୟାଁ ଗ୍ରାମରେ ଅବିବାହିତ ଯୁବକମାନଙ୍କର ରାତ୍ରିଶୟନ ସକାଶେ ପଲ୍ଲୀର ଅନତିଦୂରରେ ଗୋଟିଏ ଗୃହ ଥାଏ । ଏହି ଗୃହକୁ ‘‘ଭେଣ୍ଡିଆଘର’’ କହନ୍ତି । ଗ୍ରାମବାସିମାନେ ଆମ୍ଭମାନଙ୍କୁ ଉକ୍ତ ଗୃହରେ ସ୍ଥାନ ଦେଲେ ଏବଂ ଆମ୍ଭମାନଙ୍କ ସମଭିବ୍ୟାହାରୀ ଲୋକମାନଙ୍କ ସକାଶେ ଗୋଟିଏ ପର୍ଣ୍ଣଶାଳା ପ୍ରସ୍ତୁତ କରିଦେଲେ । ଅନ୍ଧକାରରେ ଦାରୁଣ ଶୀତର କଷ୍ଟକୁ କଷ୍ଟ ଜ୍ଞାନ ନ କରି ଆବାଳବୃଦ୍ଧ ଗ୍ରାମବାସୀ ଆମ୍ଭମାନଙ୍କ ସୁବିଧା ବିଧାନ ସକାଶେ ଯେପରି ପରିଶ୍ରମ କଲେ, ତାହା ଦେଖି ଆମ୍ଭେମାନେ ଚମତ୍କୃତ ହେଲୁଁ । ଭୂୟାଁମାନେ ଦରିଦ୍ର ହେଲେ ମଧ୍ୟ ଅତ୍ୟନ୍ତ ଆତିଥେୟ । ଏମାନେ ବନ୍ୟ ଫଳମୂଳ ଖାଇ ବର୍ଷର ଅଧିକାଂଶ ସମୟ ଅତିବାହିତ କରନ୍ତି ସତ୍ୟ, ମାତ୍ର ପ୍ରତ୍ୟେକ ଭୂୟାଁଗୃହ ମଧ୍ୟରେ ପ୍ରବେଶ କଲେ ତୁମ୍ଭେ ଦେଖିବ ଯେ ୨।୩ ସେର ଚାଉଳ ପତ୍ରରେ ବନ୍ଧା ହୋଇ ଶିକାରେ ପଥିକମାନଙ୍କ ସକାଶେ ଗୃହର ଅପେକ୍ଷାକୃତ ଅପ୍ରକାଶ୍ୟ ସ୍ଥଳରେ ଝୁଲୁଅଛି । ପଥିକମାନଙ୍କୁ ଉପବାସରେ ରଖାଇ ସ୍ୱୟଂ ଆହାର କରିବା ଏମାନେ ମହାପାପ ମନେକରନ୍ତି ।

 

ଏହି ଭୂୟାଁମାନଙ୍କର ପାହାଡ଼ିଆ ଭୂୟାଁମାନଙ୍କ ସହିତ ଆଦାନପ୍ରଦାନାଦି ଚଳେ । ମାତ୍ର ଅପେକ୍ଷାକୃତ ସମତଳଭୂମିବାସୀ ହୋଇ ଏମାନେ ନିଜର ଆଦିମ ଭାଷା ବିସ୍ମୃତ ହୋଇଅଛନ୍ତି । ସମ୍ପ୍ରତି ଓଡ଼ିଆ ଏମାନଙ୍କର ମାତୃଭାଷା ହୋଇଅଛି । ସୁଖର ବିଷୟ ଯେ ଓଡ଼ିଆ ଭାଷା ପ୍ରତ୍ୟେକ ଆଦିମ ଜାତିମାନଙ୍କ ମଧ୍ୟରେ ଶନୈଃ ଶନୈଃ ବ୍ୟାପ୍ତ ହୋଇ ନିଜ କ୍ଷେତ୍ର ପ୍ରଶସ୍ତ କରୁଅଛି ।

 

ଏହି ଗ୍ରାମରେ ପ୍ରଧାନ ଅଳ୍ପ ଦିନ ପୂର୍ବରେ ଟାଙ୍ଗିଆରେ ଯୋଡ଼ାଏ ଭାଲୁ ସ୍ୱହସ୍ତରେ ମାରିଥିବାର କହି ନିଜ ଶରୀର ଏବଂ ବସ୍ତ୍ରରେ ଭଲ୍ଲୁକାକ୍ରମଣର ସୁସ୍ପଷ୍ଟ ଚିହ୍ନମାନ ଦେଖାଇଲା । ଏହାର ଯୋଡ଼ିଏ ଯୁବକ ପୁତ୍ରର ନାମ ଧନୁଶର ଏବଂ ଫୁଲଶର । ପୁତ୍ରଦ୍ୱୟକୁ ପ୍ରଧାନ ସଗର୍ବରେ ଦେଖାଇ ଆମ୍ଭମାନଙ୍କ କାର୍ଯ୍ୟରେ ତତ୍ପର ହେବା ସକାଶେ ସତର୍କ କରିଦେଲା । ବୃଦ୍ଧର ସ୍ୱାଭାବିକ ସ୍ଫୂର୍ତ୍ତି, ସରଳତା ଏବଂ ନିର୍ଭୀକତା ଦେଖି ଆମ୍ଭେମାନେ ମୁଗ୍ଧ ହେଲୁଁ । ବସ୍ତ୍ରାଭାବରେ ଏକମାତ୍ର ଅଗ୍ନି ଏମାନଙ୍କର ଶୀତନିବାରଣର ପ୍ରଧାନ ଉପାୟ । କେବଳ ଶୀତ ନିବାରଣ ନୁହେ, ବନ୍ୟପଶୁର ଭୟନିବାରଣ ଏବଂ ରାତ୍ରିରେ ଆଲୋକପ୍ରଦାନ ବିଷୟରେ ମଧ୍ୟ ଅଗ୍ନି ପ୍ରଧାନ ସହାୟ । ଶୁଷ୍କ ଶିଶୁ ଶାଳତରୁ ଏ ଅଞ୍ଚଳରେ ମଶାଲର କାର୍ଯ୍ୟ କରେ । କାଠର ଅଭାବ ନାହିଁ । ଏହି ଗ୍ରାମର ଦୁଇ ଏକ କ୍ରୋଶ ମଧ୍ୟରେ ଆମ୍ଭେମାନେ ଅସଂଖ୍ୟ ବୃହତ୍ ବୃହତ୍ ଶୁଷ୍କ ଶାଳ କାଷ୍ଠ ଦେଖିଲୁଁ । ଝୁଣା କାଟିବାରେ ସହସ୍ର ସହସ୍ର ବୃକ୍ଷ ଏରୂପେ ନିଷ୍ପତ୍ର ଏବଂ ଶୁଷ୍କାବସ୍ଥାରେ ଦଣ୍ଡାୟମାନ ଅଛନ୍ତି । ତୈଳାହାଣିବାରେ ମଧ୍ୟ ଅନେକ ବିଶାଳ ବନସ୍ପତି ଏହି ଅବସ୍ଥାକୁ ଭଜନ୍ତି । ବୃକ୍ଷର ମୂଳର କିଞ୍ଚିତ୍ ଉର୍ଦ୍ଧ୍ୱରେ ଚକ୍ରାକାର ଏକ ହାତ ପ୍ରସ୍ଥରେ ବଳ୍କଳ ଛଡ଼ାଇ ଦେଇ ମୂଳର ଚତୁର୍ଦିଗରେ ଅଗ୍ନି ଜାଳି ଦେଲେ ବୃକ୍ଷମାନ ଅଚିରାତ୍ ମରିଯାଇ କଙ୍କାଳାବଶିଷ୍ଟ ହୋଇ ରହନ୍ତି । ପ୍ରତ୍ୟେକ ଗଡ଼ଜାତରେ ବିଶେଷତଃ କନ୍ଧମାଳରେ ଆମ୍ଭେମାନେ ଏହିପରି ଅସଂଖ୍ୟ ମୃତ ତରୁ ଦେଖୁଅଛୁଁ । ସ୍ଥାନର ଅଗମ୍ୟତା ହେତୁରୁ ଏହି ମୂଲ୍ୟବାନ୍ ତରୁମାନଙ୍କର ଏଠାରେ କୌଣସି ମୂଲ୍ୟ ନାହିଁ । ପ୍ରାତଃକଳରେ ଗ୍ରାମର କେତେଗୁଡ଼ିଏ ସ୍ତ୍ରୀ ଅଭ୍ୟର୍ଥନା ସକାଶେ ଆମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲେ । ଆଗନ୍ତୁକମାନଙ୍କ ସମକ୍ଷରେ ହରିଦ୍ରାମିଶ୍ରିତ ଜଳ ଢାଳି ନମସ୍କାର କରିବା ଏବଂ କୁଷ୍ମାଣ୍ଡ ଅଥବା ଅନ୍ୟ କୌଣସି ଫଳ ଉପହାର ଦେବାର ଏମାନଙ୍କର ଚିରନ୍ତନ ପ୍ରଥା ଅଟେ । ଏମାନଙ୍କର ବେଶଭୂଷା ଅତି ସାମନ୍ୟ । ଅନ୍ୟାନ୍ୟ ଆଦିମ ନାରୀଙ୍କ ପରି ପଥରମାଳିରେ ଏମାନଙ୍କର ବିଶେଷ ଶ୍ରଦ୍ଧା । ଆମ୍ଭେମାନେ କିଞ୍ଚିତ୍ ପ୍ରତ୍ୟୁପଦ୍ୱାର ଦେଇ ଏମାନଙ୍କୁ ବିଦାୟ ଦେଲୁଁ । ଏହି ପାର୍ବତୀୟ ଭୂମିରେ ଧାନ ଫସଲ ପ୍ରାୟ ଦୃଷ୍ଟିଗୋଚର ହୁଏ ନାହିଁ । ରବି ଶସ୍ୟ, ମକା, କାଙ୍ଗୁ, ରାମତିଳା ଓ ତିଳ ପ୍ରଭୃତି ଏ ଅଞ୍ଚଳରେ ଅପର୍ଯ୍ୟାପ୍ତ ପରିମାଣରେ ଜନ୍ମେ ।

 

ଆମ୍ଭେମାନେ ପୂର୍ବରେ କହିଅଛୁଁ ଯେ ବନ୍ୟ ଫଳ ମୂଳ ଆଦିମ ଜାତିଙ୍କର ଗୋଟିଏ ପ୍ରଧାନ ଉପଜୀବ୍ୟ, ଏହି ଫଳମୂଳମାନଙ୍କ ମଧ୍ୟରେ ତିକ୍ତ, କଟୁ, କଣ୍ଡୁଜନକ ଅଥବା ବିଷାକ୍ତ ଫଳ ମୂଳକୁ ସିଝାଇ ଏମାନେ ନିକଟବର୍ତ୍ତୀ ଗିରିନଦୀ ସ୍ରୋତରେ ଥୋଇ ଦେଇ ଆସନ୍ତି । ଏକ ରାତ୍ର ସ୍ରୋତର ଜଳରେ ଧୌତ ହେଲା ଉତ୍ତାରୁ ଆହାର୍ଯ୍ୟରୂପେ ବ୍ୟବହୃତ ହୁଏ ।

 

ଆମ୍ଭେମାନେ ପୂର୍ବାହ୍ନ ୯ ଘଣ୍ଟା ସମୟରେ ଗୋବିନ୍ଦପୁର ତ୍ୟାଗ କଲୁଁ । ପୂର୍ବୋକ୍ତ ପୁରାତନ ସାମରିକ ସଡ଼କରେ ପ୍ରାୟ ଦେଢ଼ କ୍ରୋଶ ଗଲା ଉତ୍ତାରୁ ଗୋଟିଏ ବୃହତ୍ ଘାଟି ପଡ଼ିଲା । ଏହି ଘାଟି ଉତ୍ତୀର୍ଣ୍ଣ ହେବାକୁ ୭।୮ ଘଣ୍ଟା ଲାଗିଲା । ଉପର୍ଯ୍ୟୁପରି ୭ଟି ପର୍ବତ ଆରୋହଣ କରିବାର ସହଜ କଥା ନୁହେ । ଆମ୍ଭେମାନେ ପ୍ରତ୍ୟେକ ପର୍ବତର ଶିଖରଦେଶରେ କିୟତ୍‌କ୍ଷଣ ବିଶ୍ରାମ କରି ଏବଂ ଚତୁର୍ଦିଗରେ ପବିତ୍ର ଦୃଶ୍ୟ ଦେଖି ପୁଣି ଅଗ୍ରସର ହେଉଥିଲୁଁ । ଗୋଟିଏ ସ୍ଥାନରେ ଦୁଇ ପର୍ବତର ସନ୍ଧିସ୍ଥଳରେ ଗୋଟିଏ ସୁନ୍ଦର ଗିରିନଦୀ ଦେଖିଲୁଁ । ସୋପାନପରମ୍ପରାବତ୍‌ ଅତି ମସୃଣ କୃଷ୍ଣପ୍ରସ୍ତରଶଯ୍ୟାରେ ଏହାର ନିର୍ମଳ ଜଳ କ୍ଷୁଦ୍ର କ୍ଷୁଦ୍ର ପ୍ରପାତ ସଞ୍ଜାତ କରାଇ ଗିରିଶିଖରରୁ ରସାତଳବତ୍‌ ଗଭୀର କନ୍ଦରାଭିମୁଖରେ ପ୍ରଧାବିତ ହେଉଅଛି । ଆମ୍ଭେମାନେ କୌତୂହଳାକ୍ରାନ୍ତ ହୋଇ ଏହି ସ୍ରୋତସଙ୍ଗେ ଅନେକ ଦୂର ତଳକୁ ଓହ୍ଳାଇଲୁଁ । ତେଣିକି ଅଗମ୍ୟ ଓ ଅନ୍ଧକାରାବୃତ ହେବାରୁ ଆଉ ଅଗ୍ରସର ହେବାକୁ ପ୍ରବୃତ୍ତ ହେଲୁଁ ନାହିଁ ।

 

ଓଡ଼ିଶାରେ ବିଶେଷତଃ କନ୍ଧମାଳରେ ଆମ୍ଭେ ଅନେକ ଘାଟି ଦେଖିଅଛୁଁ । ମାତ୍ର ଏହି ଘାଟି ସର୍ବାପେକ୍ଷା ଉଚ୍ଚ ବୋଧ ହେଲା । ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ଆମ୍ଭେମାନେ ଏହାର ଶିଖରଦେଶରେ ଉପସ୍ଥିତ ହେଲୁଁ । ଆଚକ୍ରବାଳବିଶାଳ ପ୍ରକୃତିରାଜ୍ୟର ଅନନ୍ତ ବିଚିତ୍ରତା ଅନୁଭବ କରିବା ସକାଶେ ଓଡ଼ିଶାର ଯେବେ କୌଣସି ସ୍ଥାନ ଥାଏ, ସେ ସ୍ଥାନ ଏହି । ଆମ୍ଭେ ହିମାଳୟ ବ୍ୟତୀତ ଏପରି ଦୃଶ୍ୟ ଅନ୍ୟତ୍ର ଦେଖି ନାହୁଁ । ଓଡ଼ିଶାର ଜଣେ ନବ୍ୟ କବି, କପିଳାଶୃଙ୍ଗସୁଲଭ ଚତୁର୍ଦିଗର ଦୃଶ୍ୟକୁ ଲକ୍ଷ୍ୟ କରି କହିଅଛନ୍ତି–

 

‘‘ହେବ ଏକାନ୍ତ ଚକ୍ରବର୍ତ୍ତୀ ଏ ସ୍ଥାନେ

ଅଚିନ୍ତନୀୟ ଦୃଶ୍ୟରାଜ୍ୟ ଲୋକନେ ।’’

 

ଏହି ଦୁଇ ପଂକ୍ତି ଉଲ୍ଲିଖିତ ସ୍ଥାନ ପ୍ରତି ଯେମନ୍ତ ପ୍ରଯୋଜ୍ୟ, କପିଳାସ ସମ୍ବନ୍ଧରେ କଦାଚ ସେପରି ନୁହେ ।

 

ଦାର୍ଜିର୍ଲିଂ ତଳେ ହିମାଳୟର ପ୍ରତ୍ୟନ୍ତ ପର୍ବତମାନ ଯେମନ୍ତ ଚା-କ୍ଷେତ୍ରରେ ସୁଶୋଭିତ ଦିଶନ୍ତି, ଆମ୍ଭମାନଙ୍କର ପାଦତଳେ ଅସଂଖ୍ୟ ପର୍ବତ ନାନା ଶସ୍ୟ ଓ ଗ୍ରାମମାନଙ୍କରେ ଭୂଷିତ ହୋଇ ଅତି ବିଚିତ୍ର ବୋଧ ହେଉଥିଲା । କୌଣସି କୌଣସି ପର୍ବତରେ ପୁଷ୍ପିତ ରାମତିଳାର କ୍ଷେତ୍ର ପୀତାମ୍ବର ପରି ଶୋଭା ପାଉଥିଲା । ଢେଙ୍କାନାଳ, ଲହଡ଼ା, ବାମଣ୍ଡା, ବଣେଇ ଏବଂ କେନ୍ଦୁଝରରର ଅନ୍ୟାନ୍ୟ ଶତ ଶତ ପର୍ବତ ଦୂର ଆକାଶରେ ଚିତ୍ରପଟ ପ୍ରାୟ ପ୍ରତିଭାତ ହେଉଥିଲେ । ଅଧିକ କହିବାର ପ୍ରୟୋଜନ ନାହିଁ । ଭାଷା ଏ ଦୃଶ୍ୟ ନିକଟରେ ପରାସ୍ତ । ଚାକ୍ଷୁଷ ପ୍ରତ୍ୟକ୍ଷ ନ କଲେ ଏହା ବୁଝି ହେବ ନାହିଁ । ଏହି ଦୃଶ୍ୟ ଆମ୍ଭମାନଙ୍କ ସ୍ମୃତିର ଗୋଟିଏ ସମ୍ପତ୍ତି ବିଶେଷ ।

 

ଆମ୍ଭେମାନେ ମାର୍ଗରେ ଯେଉଁ ପର୍ବତମାନ ପାରି ହୋଇ ଆସିଲୁଁ, ତାହା ବ୍ରାହ୍ମୀ ଅବବାହିକାର ପ୍ରାଚୀରସ୍ୱରୂପ । ସନ୍ଧ୍ୟା ସମୟରେ ଆମ୍ଭେମାନେ ବୈତରଣୀର ଅବବାହିକା ଅନ୍ତର୍ଗତ କୁଆଁର ନାମକ ଗ୍ରାମରେ ଉପସ୍ଥିତ ହେଲୁଁ । ଏହି ଗ୍ରାମରେ ମହାରାଜଙ୍କର ଗୋଟିଏ ଥାନା ଏବଂ ସ୍କୁଲ ଅଛି । ଗ୍ରାମରେ ଗୋଟିଏ ସଡ଼କ ମଧ୍ୟ ଦେଖିଲୁଁ । ଗୋଟିଏ ଗିରିନଦୀ ଗ୍ରାମକୁ ଜଳ ଯୋଗାଉଅଛି । କନ୍ଧମାଳ ପରି ଏ ଅଞ୍ଚଳରେ ବୃହତ୍ ପଣସ ବୃକ୍ଷ ଅନେକ ଦେଖାଯାଏ । ବୋଲିବା ବାହୁଲ୍ୟ ଯେ ଭୂୟାଁ ପର୍ବତର ଅନ୍ୟାନ୍ୟ ଗ୍ରାମ ପରି କୁଆଁର ଚତୁର୍ଦିଗରେ ପର୍ବତବେଷ୍ଟିତ ଏବଂ ଏହାର ଲୋକବସତି ସୋପାନମଞ୍ଚ ପରି ସ୍ତରାନ୍ୱିତ । ମାତ୍ର ସ୍ଥାନଟି ଅପେକ୍ଷାକୃତ ପ୍ରଶସ୍ତ ଏବଂ ପରିଷ୍କୃତ ବୋଧ ହେଲା । ଏ ଅଞ୍ଚଳରେ ଗୋପାଳ ପ୍ରଧାନମାନେ ଆଗନ୍ତୁକମାନଙ୍କୁ ଦଧି ଉପହାର ଦିଅନ୍ତି । ଭୂୟାଁପୀଠରେ ପନୀର ପସ୍ତୁତ ହେବାର କଥା ଆମ୍ଭେମାନେ ଏଥିପୂର୍ବେ ଶୁଣିଥିଲୁଁ । ମାତ୍ର ତାହା ଅମୂଳକ । ମାହିଷ ଦୁଗ୍ଧରୁ ଏକପ୍ରକାର ଛେନା ପ୍ରସ୍ତୁତ ହୁଏ । ଘିଅ ବୋଳି ତାକୁ ରଖି ପାରିଲେ ପ୍ରାୟ ମାସେ କାଳ ଅବିକୃତ ଅଥବା ସ୍ୱଳ୍ପବିକୃତ ଅବସ୍ଥାରେ ରହେ । ଏହି ଛେନାକୁ ଅବା ପନୀର ବୋଲି ଭାବି ଏପରି କଥା ପ୍ରଚାର କରିଥିବେ । ଗୋଦୁଗ୍ଧ ଭୂୟାଁପୀଠରେ ଅତି ଦୁଷ୍ପ୍ରାପ୍ୟ । କୁଆଁର ଗ୍ରାମର ଅଧିଷ୍ଠାତୃଦେବତାଙ୍କ ନାମ ଲକ୍ଷ୍ମୀପାଟ । ଏ ଅଞ୍ଚଳର ଅଧିକାଂଶ ଗ୍ରାମଦେବତାଙ୍କ ନାମର ଶେଷରେ ‘‘ପାଟ’’ ଶବ୍ଦ ସଂଯୁକ୍ତ ଥିବା ଦେଖାଯାଏ । ଲକ୍ଷ୍ମୀପାଟ ଭୂୟାଁମାନଙ୍କର ଗୋଟିଏ ପ୍ରଧାନ ଦେବତା । ପ୍ରତ୍ୟେକ ଆଦିମ ଜାତି ପରି ଭୂଆଁମାନଙ୍କ ମଧ୍ୟରେ ସ୍ତ୍ରୀସ୍ୱାଧୀନତା ଯଥେଷ୍ଟ ଅଛି-। ଅଧିକାଂଶ ସ୍ଥଳରେ ପରସ୍ପର ପ୍ରତି ପ୍ରଣୟ ଜନ୍ମିଲେ ସ୍ତ୍ରୀ ପୁରୁଷର ପରିଣୟ ସଂଘଟିତ ହୁଏ । କଥୋପକଥନ ପ୍ରସଙ୍ଗରେ ଆମ୍ଭମାନେ ଜଣେ ପ୍ରୌଢ଼ ଭୂୟାଁକୁ ପଚାରିଲୁଁ, ‘‘ତୁମ ପୁଅକୁ ବାହା କରେଇଚ?’’ ପ୍ରୌଢ଼ କହିଲେ, ‘‘ନା, ବାହା କରେଇ ନାହିଁ । ଭେଣ୍ଡିଆ ହେଲାଣି, ତା ମନକୁ ଆସିଲେ ବଳେ ଗୋଟାଏ ନେଇ ଆସିବ । ଆଜି ଖଣ୍ଡିଏ ପାନ ଦେବ, କାଲି ଟିକିଏ ଧୂଆଁପତ୍ର ଦେବ, ଏହିପରି କନ୍ୟାର ମନ ବସିଗଲେ ବାହା ହୋଇଗଲା ।’’ ଏହି କଥାରୁ ପାଠକବର୍ଗ ଏମାନଙ୍କର ସରଳ ଜୀବନ ଏବଂ ବିବାହ ପ୍ରଥାର କେତେକ ପରିଚୟ ପାଇ ପାରିବେ ।

 

କୁଆଁରରୁ ଆମ୍ଭେମାନେ ପରଦିନ ଗୋନାସିକା ଯାତ୍ରା କଲୁଁ । ମାର୍ଗ ଅବଶ୍ୟ ବନ୍ଧୁର । ତୈଳା କୃଷି ଯୋଗୁଁ ପର୍ବତମାନଙ୍କରେ ଅଧିକ ଅରଣ୍ୟ ନାହିଁ । ତଥାଚ ଯାହା ଅଛି, ତାହା ସମତଳ ଓଡ଼ିଶାବାସୀଙ୍କର କଳ୍ପନାତୀତ । ଏକ ଏକ ସ୍ଥାନରେ ରାମତିଳାର କ୍ଷେତ୍ର ଦୃଶ୍ୟର ବିଚିତ୍ରତା ସମ୍ପାଦନ କରୁଅଛି । ଆମ୍ଭେମାନେ ପ୍ରାୟ ଦୁଇ କ୍ରୋଶ ଯାଇ ବୈତରଣୀ ଭେଟିଲୁଁ । ଏଠାରେ ବୈତରଣୀ ୭।୮ ହାତରୁ ଅଧିକ ପ୍ରଶସ୍ତ ନୁହେ । ଶଯ୍ୟା ଉପଳମୟ ଏବଂ ବିଶାଳ ବନସ୍ପତି ଛାୟାରେ ଅନ୍ଧକାରିତ । ସନ୍ଧ୍ୟା ସମୟରେ ଆମ୍ଭେମାନେ ଗୋନାସିକାରେ ଉପସ୍ଥିତ ହେଲୁଁ ।

 

ଗୋନାସିକା ଗୋଟିଏ ପାର୍ବତୀୟ ଜୁଆଙ୍ଗ ଗ୍ରାମ । ଅତି ଉଚ୍ଚାବଚ । କେନ୍ଦୁଝରରେ ଏ ଗୋଟିଏ ପ୍ରଧାନ ତୀର୍ଥ, ଏହି ପର୍ବତପୂର୍ଣ୍ଣ ସ୍ଥାନର କିଞ୍ଚିତ୍ ଦୂରବର୍ତ୍ତୀ ଗୋଟିଏ ପର୍ବତରୁ ବୈତରଣୀ ନିଃସୃତ ହେଉଅଛି । ଉତ୍ପତ୍ତି ସ୍ଥାନରେ ‘‘ଆଦ୍ୟ ବୈତରଣୀ’’ ଏହି ଶବ୍ଦ ନାଗରାକ୍ଷରରେ ପ୍ରସ୍ତର ଦେହରେ ଅଙ୍କିତ ହୋଇଅଛି । ପର୍ବତର କିୟଦ୍ଦୂରରେ ଗୋଟିଏ ଉଚ୍ଚ ପ୍ରସ୍ତରର ଉଚ୍ଚ ସ୍ଥଳୀ ଅଛି । ବୈତରଣୀ ଏହି ସ୍ଥଳୀର କାନ୍ଥିରେ ଗୋନାସିକା ଗ୍ରାମାଭିମୁଖରେ ବହି ଯାଉଅଛି । ସ୍ଥଳୀକୁ ‘‘ଋଷି-ସଭା’’ କହନ୍ତି । ଗୋନାସିକା ନିକଟରେ ନଦୀର ଶଯ୍ୟା ବିଶିଷ୍ଟ ଉପଳଖଣ୍ଡରେ ପରିପୂର୍ଣ୍ଣ । ଖଣ୍ଡିଏ ଅପେକ୍ଷାକୃତ ବୃହତ୍ ପ୍ରସ୍ତରଦ୍ୱାରା ଜଳ ରୁଦ୍ଧ ହୋଇ ସେହି ପ୍ରସ୍ତରସ୍ଥିତ ଛିଦ୍ରଦ୍ୱାରା ଗୋଟିଏ କୁଣ୍ଡରେ ସ୍ୱଚ୍ଛଧାରରେ ପତିତ ହେଉଅଛି । ଏହି ପ୍ରସ୍ତରକୁ ଗୋନାସିକା କହନ୍ତି । ମାତ୍ର ଗୋନାସିକା ସହିତ ଏହାର ଯେବେ କୌଣସି ସାଦୃଶ୍ୟ ଥାଏ, ତାହା କେବଳ ବିଶ୍ୱାସ-ଚକ୍ଷୁଗ୍ରାହ୍ୟ । ଏହିଠାରେ ଆମ୍ଭେମାନେ ୩।୪ଟି ଚମ୍ପକ ବୃକ୍ଷ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲୁଁ । ଚମ୍ପକ ବୃକ୍ଷ ଏପରି ବୃହତ୍ ହୋଇ ପାରେ, ଏହା ଆମ୍ଭମାନଙ୍କର ଧାରଣା ନ ଥିଲା । ନଦୀତୀରରେ ମହାରାଜ ଗୋଟିଏ ଶିବମନ୍ଦିର ଏବଂ ନଦୀଶଯ୍ୟା ପର୍ଯ୍ୟନ୍ତ ଦୀର୍ଘ ସୋପାନଶ୍ରେଣୀ ପ୍ରସ୍ତୁତ କରାଇ ଦେଇଅଛନ୍ତି ।

 

ଏଠାରେ କ୍ଷୀଣଧାରା ବୈତରଣୀ ସହିତ ଯାଜପୁର ଅଥବା ଚାନ୍ଦବାଲିର ବୈତରଣୀକୁ ତୁଳନା କରି ଉଭୟର ଅନ୍ତର ଉପଲବ୍ଧି କଲେ ହୃଦୟ ବିସ୍ମୟରସରେ ପରିପ୍ଳୁତ ହୁଏ ।

 

ଭୂୟାଁପୀଢ଼ର ଏହି ଅଞ୍ଚଳ ସମଧିକ ଉଚ୍ଚ ହୋଇଥିବାରୁ ଏଠାରେ ଶୀତ ଋତୁରେ ବରଫ ପଡ଼େ । ସ୍ଥାନୀୟ ଲୋକେ ଏହାକୁ ‘‘ପଣ୍ଡୁ’’ କହନ୍ତି । ‘‘ପଣ୍ଡୁ’’ ଶବ୍ଦ ସମ୍ଭବତଃ ପାଣ୍ଡୁର ଅପଭ୍ରଂଶ । ଜୁଆଙ୍ଗମାନେ ଆଜି ପର୍ଯ୍ୟନ୍ତ ଲୁଗା ପିନ୍ଧି ନ ଥିବାର କଥା କୌଣସି କୌଣସି ପୁସ୍ତକରେ ଲିଖିତ ଦେଖାଯାଏ । ମାତ୍ର ଏ କଥା ବର୍ତ୍ତମାନ ସମୟ ପ୍ରତି ପ୍ରଯୋଜ୍ୟ ବୋଲି ବୋଧ ହେଉ ନାହିଁ । ଆମ୍ଭେମାନେ ଯେଉଁ ଜୁଆଙ୍ଗ ଅଥବା ଜୁଆଙ୍ଗୀମାନଙ୍କୁ ଦେଖିଥିଲୁଁ, ସେମାନେ ସମସ୍ତେ ଲୁଗା ପିନ୍ଧିଥିଲେ ।

 

ଜୁଆଙ୍ଗୀମାନେ ଅପେକ୍ଷାକୃତ ଖର୍ବାକାର । ଅଧିକାଂଶ ଜୁଆଙ୍ଗୀର ଦେହର ପୂର୍ବାର୍ଦ୍ଧ ବସ୍ତ୍ରରେ ଅନାବୃତ ହେଲେହେଁ, ପଥର ମାଳିରେ ଆବୃତ ଥାଏ ।

 

ଜୁଆଙ୍ଗମାନେ ଭୂୟାଁମାନଙ୍କ ଅପେକ୍ଷା ଆଦିମତର ଅବସ୍ଥାରେ ଥିବାର ବୋଧହୁଏ । ଗୋମାଂସ ଏମାନଙ୍କ ମଧ୍ୟରେ ନିଷିଦ୍ଧ ନୁହେ । ଜୁଆଙ୍ଗମାନଙ୍କ ଗୋବଧ କରିବା ସମ୍ବନ୍ଧରେ ଏହି ପ୍ରବାଦ ପ୍ରଚଳିତ ଅଛି । ଗୋରୁ ବୃଦ୍ଧ ବା ଅକର୍ମଣ୍ୟ ହେଲେ ତାହାକୁ ମାରିବା ଅଭିପ୍ରାୟରେ ଗୋଟିଏ ଗଛର ମୂଳକୁ ଏମନ୍ତଭାବରେ କାଟନ୍ତି ଯେ ସାମାନ୍ୟ ଆକର୍ଷଣରେ ଗଛ ପଡ଼ିଯିବ । ବୃକ୍ଷକୁ ଏହିପରି କାଟି ସେଥିରେ ଗୋରୁକୁ ବାନ୍ଧି ଦିଅନ୍ତି । ଗୋରୁର ଆକର୍ଷଣଦ୍ୱାରା ବୃକ୍ଷ ଅବଶ୍ୟ ଗୋରୁ ଉପରେ ପଡ଼ି ଗୋରୁ ମରିଯାଏ । ଜୁଆଙ୍ଗମାନେ ଏକଦଳ ହୋଇ ଆସି ଗୋରୁ ଚାରିପାଖରେ ବସି ଗମ୍ଭୀରଭାବରେ କହନ୍ତି, ‘‘ଉଠ ଉଠ ଗୋରୁ ମାତା, ଆମ ଦୋଷ ନାହିଁଟି ।’’ ଏହା କହିଲା ଉତ୍ତାରୁ ଯେବେ ଗୋରୁ ନ ଉଠିଲା, ଜୁଆଙ୍ଗମାନେ ଆପଣାକୁ ନିର୍ଦୋଷ ଓ ଗୋରୁକୁ ଆହାର୍ଯ୍ୟ ମଣି ଆପଣା ମଧ୍ୟରେ ମାଂସ ବଣ୍ଟନର ସୁବିଧା କରନ୍ତି । ଗୋନାସିକାରୁ ଆମ୍ଭେମାନେ କେନ୍ଦୁଝର ଗଡ଼କୁ ଗଲୁଁ । ମାର୍ଗ ନିରବଚ୍ଛିନ୍ନ ପର୍ବତସଙ୍କୁଳ ଓ ଅରଣ୍ୟମୟ । କେନ୍ଦୁଝର ନଗର ଗୋଟିଏ ବିସ୍ତୃତ ପ୍ରାନ୍ତରରେ ଅବସ୍ଥିତ । ପର୍ବତ ଉପରୁ ଗଡ଼କୁ ଅବତରଣ କରିବାବେଳେ ଏହି ପ୍ରାନ୍ତରର ବିସ୍ତୃତି ଉତ୍ତମରୂପେ ଉପଲବ୍ଧ ହୁଏ । ବସ୍ତୁତଃ ଏପରି ସୁବିସ୍ତୃତ ପ୍ରାନ୍ତର ଓଡ଼ିଶାରେ ବିଶେଷତଃ ଜାଙ୍ଗଳ ଓଡ଼ିଶାରେ ବିରଳ ।

 

କେନ୍ଦୁଝର ଗଡ଼ର ଦକ୍ଷିଣ ପଶ୍ଚିମରେ ପର୍ବତମାଳା ପ୍ରାଚୀର ପ୍ରାୟ ଦଣ୍ଡାୟମାନ । ପୂର୍ବୋକ୍ତ ରାଜଧାନୀମାନଙ୍କ ଅପେକ୍ଷା ଅନେକ ବୃହତ୍ତର । ଏଠାରେ ଯେଉଁ ତାର ପ୍ରସ୍ତୁତ ହୁଏ, ତାହା ସମଗ୍ର ଓଡ଼ିଶାରେ ପ୍ରସିଦ୍ଧ । ବଳଦେବଙ୍କ ମନ୍ଦିର ଏଠାରେ ପ୍ରଧାନ ଦୃଶ୍ୟ । ଗଡ଼ର ଜଳବାୟୁ ଆଦୌ ସ୍ୱାସ୍ଥ୍ୟକର ନୁହେ । ଶିକ୍ଷୋନ୍ନତି ସମ୍ବନ୍ଧରେ କେନ୍ଦୁଝର, ଲହଡ଼ା । କେନ୍ଦୁଝରରେ ଆମ୍ଭେମାନେ ଦୁଇ ଦିନ ମାତ୍ର ଅବସ୍ଥାନ କରି ବସନ୍ତପୁର, ପୁରୁମୁଣ୍ଡା, ତାରା, ବାଲିଯୋଡ଼ୀ ଏବଂ କାନ୍ଥୋ ବାଟେ ବୈତରଣୀ ତୀରସ୍ଥିତ ଆନନ୍ଦପୁରରେ ଉପସ୍ଥିତ ହେଲୁଁ । ମାର୍ଗ ମଧ୍ୟରେ ଉଚିତ ବ୍ୟବଧାନରେ ମହାରଜ ପୁଷ୍କରିଣୀମାନ ଖୋଳାଇ ଦେଇଅଛନ୍ତି । ମାତ୍ର ଆଜି ପର୍ଯ୍ୟନ୍ତ ଆନନ୍ଦପୁରରୁ କେନ୍ଦୁଝର ଗଡ଼କୁ ଗୋଟିଏ ସଡ଼କ ପ୍ରସ୍ତୁତ ନ ହେବାର ଅତ୍ୟନ୍ତ ଦୁଃଖର କଥା । ଏ ମାର୍ଗ ଏମନ୍ତ କିଛି ବନ୍ଧୁର ଅଥବା ପର୍ବତସଙ୍କୁଳ ନୁହେ ଯେ ରାଜପଥ ନିମନ୍ତେ ବ୍ୟୟସାଧ୍ୟ ହେବ । ଏ ମାର୍ଗରେ ଗମନାଗମନ ସମୟରେ ଲୋକେ କିପରି କଷ୍ଟରେ ପଡ଼ନ୍ତି, ଆମ୍ଭେମାନେ ତାହା ଅନୁଭବରୁ ଜାଣିଅଛୁଁ । ସମଗ୍ର ଗଡ଼ଜାତ ଭ୍ରମଣର କଷ୍ଟ ଏହି ଅଞ୍ଚଳରେ କେନ୍ଦ୍ରୀଭୂତ ପ୍ରାୟ ବୋଧ ହେଲା । ଏହି ମାର୍ଗ ମଧ୍ୟରେ ଘାଟଗାଁ ସର୍ବପ୍ରଧାନ ସ୍ଥାନ । କେନ୍ଦୁଝରର ପ୍ରଧାନ ଦେବୀ ତାରିଣୀ ଏହିଠାରେ ଅଧିଷ୍ଠିତ । ଦେବୀଙ୍କର ଦୁଇ ମୂର୍ତ୍ତି । ପଥର ପାର୍ଶ୍ୱବର୍ତ୍ତୀ ଗୋଟିଏ କୁଞ୍ଜ ମଧ୍ୟରେ ଯେଉଁ ମୂର୍ତ୍ତି ପ୍ରତିଷ୍ଠିତ, ତାହା ସାଧାରଣ ଲୋକେ ଦେଖନ୍ତି ଏବଂ ପୂଜା କରନ୍ତି । ରାଜାଙ୍କ ଦର୍ଶନ ସକାଶେ ଅରଣ୍ୟ ମଧ୍ୟରେ ସ୍ୱତନ୍ତ୍ର ମୂର୍ତ୍ତି ଅଛନ୍ତି । ଶୁଣିବାରେ ରାଜା ଏବଂ ଦେହୁରୀ ବ୍ୟତୀତ ଏ ମୂର୍ତ୍ତି ଦେଖିବାର ଆଉ କାହାରି ଅଧିକାର ନାହିଁ । ଦେବୀଙ୍କଠାରେ ବଳିଦାନ ନିମିତ୍ତ ଅନେକ ଛାଗ ଆସୁଥିବାର ଦେଖାଗଲା ।

 

ବାଲିଯୋଡ଼ୀ ନାମକ ସ୍ଥାନରେ ଆମ୍ଭେମାନେ ଗୋଟିଏ ତୋଟାରେ ପର୍ଣ୍ଣମାଳା ପ୍ରସ୍ତୁତ କରାଇ ଅବସ୍ଥାନ କଲୁଁ । ଏଠାରେ ସମୟ ସମୟରେ ବନ୍ୟ ହସ୍ତିର ଭୟ ହୁଏ । ସ୍ଥାନଟି ପ୍ରଶସ୍ତ, ମାତ୍ର ଚାରିଆଡ଼େ ଘୋର ବନ । ମୟୂରରବରେ ଏହି ବନ ଅନୁକ୍ଷଣ ଶବ୍ଦାୟମାନ । ରାତ୍ରରେ ବ୍ୟାଘ୍ର ଗର୍ଜନ ଶୁଣି ଆମ୍ଭମାନଙ୍କର ଶଙ୍କା ଜାତ ହେବାରୁ ଅଧିକ ପରିମାଣରେ ଅଗ୍ନି ପ୍ରଜ୍ୱଳିତ କରି କଷ୍ଟମଷ୍ଟରେ ରାତ୍ରି ଅତିବାହିତ କଲୁଁ ।

 

ପୁରୁମୁଣ୍ଡାରୁ ତାରା ଏବଂ ବାଲିଯୋଡ଼ୀରୁ ଆନନ୍ଦପୁରକୁ ଆସୁ ଆସୁ ମାର୍ଗରେ ବରାବାଙ୍କ ଏବଂ ମୀନ ଘାଟି ପଡ଼ିଲା । ଗୋଟିଏ ଗିରିନଦୀ ପର୍ବତବ୍ୟୂହରେ ରୁଦ୍ଧ ହୋଇ ସର୍ପବତ୍‌ ବକ୍ରଗତିରେ ପ୍ରବାହିତ ହେଉଥିବାରୁ ତାହାକୁ ଅନେକ ଥର ପାରି ହେବାକୁ ହୁଏ । ଏହାକୁ ଲୋକେ ବାଡ଼ବାଛୁ କହନ୍ତି । ମୀନ ଘାଟି ଅତି କ୍ଷୁଦ୍ର ଘାଟି ।

 

ଆନନ୍ଦପୁରରେ ଆମ୍ଭେମାନେ ଦୁଇଦିନ ଅବସ୍ଥାନ କରିଥିଲୁଁ । ଏହି ସ୍ଥାନର କିଞ୍ଚିତ୍ ଉପରେ ବୈତରଣୀର ନାବ୍ୟତାରା ସୀମା । ଆନନ୍ଦପୁର କେନ୍ଦୁଝରରେ ସର୍ବପ୍ରଧାନ ସ୍ଥାନ, ମାତ୍ର ଏଠାରେ ଅରଣ୍ୟର ଅଭାବ ନାହିଁ । ରାତ୍ରରେ ଗୃହର ଅତି ନିକଟରେ ଆମ୍ଭମାନେ ଥରକୁ ଥର ବ୍ୟାଘ୍ରର ଭୟଙ୍କର ଗର୍ଜନ ଶୁଣିଥିଲୁଁ । ତସର ଲୁଗା ସକାଶେ ଆନନ୍ଦପୁର ପ୍ରସିଦ୍ଧ । କୁଶଳେଶ୍ୱରାଧିଷ୍ଠିତ ଦେବଗାଁ ଆନନ୍ଦପୁରରୁ ତିନି କ୍ରୋଶ ଦୂରରେ ଅବସ୍ଥିତ । ଏହିଠାରେ ମହରାଜଙ୍କର ଅନେକ ସୁକୀର୍ତ୍ତି ଥିବାର ଶୁଣିଥିଲୁଁ ।

 

ଅଳ୍ପଦିନ ହେଲା ଆନନ୍ଦପୁରରେ ମହାରାଜ ଗୋଟିଏ ବୃହଦାୟତନ ହର୍ମ୍ୟ ପ୍ରସ୍ତୁତ କରାଇ ଅଛନ୍ତି । ଅତି ନିକଟକୁ ଯାଇ ଏ ଗୃହ ଦେଖିଲେ କାରିଗରର ସୁରୁଚି ସମ୍ବନ୍ଧରେ ଲୋକର ସନ୍ଦେହ ଜାତ ହେବାର ସମ୍ପୂର୍ଣ୍ଣ ସମ୍ଭାବନା ।

 

ଆନନ୍ଦପୁରରୁ ଆମ୍ଭେମାନେ ଆମ୍ବୋ ଏବଂ କୋରାଇ ମାର୍ଗରେ ଧର୍ମଶାଳାରେ ଉପସ୍ଥିତ ହେଲୁଁ । ସେଠାରୁ ଯଥାସମୟରେ କଟକ ଆସିଲୁଁ ।

Image